ସୁବର୍ଣ୍ଣପୁର: ସନ୍ଥ କବି ଭୀମଭୋଇଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜିଲ୍ଲା ପ୍ରଶାସନ ସହରରେ ଏକ ଯାଗା ସ୍ଥିର କରି ପାରିନାହାନ୍ତି । ପ୍ରାୟ ତିନି ବର୍ଷ ତଳେ ସୁବର୍ଣ୍ଣପୁର ସହରର ବ୍ଳକ ଛକରେ ଥିବା ଭୀମଭୋଇଙ୍କ ପ୍ରତିମୂର୍ତ୍ତିକୁ ହଟାଇ ଦିଆଯାଇଥିଲା । ସହରର ମହାନଦୀରୁ ତେଲନଦୀ ଯାଏଁ ପ୍ରାୟ ସାଢେ ତିନି କିଲୋମିଟର ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ କରିବା ସମୟରେ ସନ୍ଥ କବିଙ୍କ ପ୍ରତିମୂର୍ତ୍ତିକୁ ହଟାଇ ଦିଆଯାଇଥିଲା । ଉକ୍ତ ସ୍ଥାନରେ ହିଁ ପୁନଃ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା । ତେବେ ଆଜକୁ ତିନି ବର୍ଷରୁ ଅଧିକ ହେଲା ପ୍ରତିମୂର୍ତ୍ତି ବ୍ଳକ ଛକରେ ପ୍ରତିଷ୍ଠା କରାଯାଇ ପାରିଲା ନାହିଁ ।
ସହରର ବ୍ଲକ ଛକର ନବୀକରଣ କରାଯାଇ ଆକର୍ଷଣୀୟ କରାଯାଇଛି । ହେଲେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଯାଗା ଛଡ଼ାଯାଇ ନାହିଁ । ପ୍ରତିମୂର୍ତ୍ତିକୁ ହଟାଇବା ସମୟରେ ଭୀମଭୋଇ ସାହିତ୍ୟ ପ୍ରେମୀ, ମହିମାଧର୍ମୀ ସାଧୁ ସନ୍ନ୍ୟାସୀ ଓ ଭୀମଭୋଇ ସାହିତ୍ୟ ରସିକମାନେ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର ନକରିବା ପାଇଁ ଦାବି ରଖିଥିଲେ । ହେଲେ ରାସ୍ତା ପ୍ରଶସ୍ତିକରଣ କରିବା ପରେ ପୁନଃ ଭୀମଭୋଇଙ୍କ ପ୍ରତିମୂର୍ତ୍ତିକୁ ଏକ ଆକର୍ଷଣୀୟ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ଯାଗା ସ୍ଥିର କରି ପୁନଃ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖାଯାଇଥିବା ପ୍ରତିଶୃତି ମିଳିଥିଲା । ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ପକ୍ଷରୁ ଜେସିବି ମେସିନ୍ ଓ ଟ୍ରାକ୍ଟର ଲଗାଇ ପ୍ରତିମୂର୍ତ୍ତିଟିକୁ ଓପାଡ଼ି ଗୃହ ଓ ପୂର୍ତ୍ତ ବିଭାଗର ଗ୍ୟାରେଜ ଘରେ ରଖାଯାଇଛି । ଆଜକୁ ଦୁଇ ବର୍ଷରୁ ଅଧିକ ହେଲା ସନ୍ଥକବିଙ୍କ ପ୍ରତିମୂର୍ତ୍ତି ଅନ୍ଧାରୁଆ କୋଠରି ଭିତରେ ରଖାଯାଇ ଥିଲେ ହେଁ ତାର ପୁନଃ ପ୍ରତିଷ୍ଠା ଦିଗରେ କେହି ଧ୍ୟାନ ଦେଉ ନଥିବା ଅଭିଯୋଗ ହେଉଛି ।
ଏହା ମଧ୍ୟ ପଢ଼ନ୍ତୁ: ସୁବର୍ଣ୍ଣପୁର ବ୍ଲକ ଛକରେ ପୁଣି ପ୍ରତିଷ୍ଠା ହେବ ସନ୍ଥକବିଙ୍କ ପ୍ରତିମୂର୍ତ୍ତି
ମହିମାଧର୍ମୀ ସାଧୁ ସନ୍ନ୍ୟାସୀ ଓ ଭୀମଭୋଇ ସାହିତ୍ୟ ପ୍ରେମୀଙ୍କ ପକ୍ଷରୁ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବାରମ୍ବାର ଦାବି ଆପତ୍ତି କରାଯାଉ ଥିଲେ ମଧ୍ୟ ପୂର୍ତ୍ତ ବିଭାଗ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ତେବେ ଭୀମଭୋଇଙ୍କ ପୂଣ୍ୟ ତିଥିଗୁଡ଼ିକରେ ଜନସାଧାରଣ ପ୍ରତିମୂର୍ତ୍ତି ଉପରେ ମାଲ୍ୟାର୍ପଣ କରିବାର ସୁଯୋଗ ପାଉ ନାହାନ୍ତି । ତାଙ୍କ ଭଳି ଜଣେ ମହାପୁରୁଷଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି । ଜିଲ୍ଲାର ସନ୍ଥକବିଙ୍କ ସିଦ୍ଧି, ସାଧନା ଓ ସମାଧି ପୀଠର ଉନ୍ନତିକରଣ ସହିତ ସନ୍ଥକବିଙ୍କ ପ୍ରତିମୂର୍ତ୍ତି ସହରର ବ୍ଳକ ଛକରେ ପୁନଃ ପ୍ରତିଷ୍ଠା କରିବା ପାଇଁ ଦାବି ହେଉଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର