ସୁବର୍ଣ୍ଣପୁର: ସୋନପୁର ଗଡ଼ଜାତର ଇଷ୍ଟ ଦେବୀ ମା' ସୁରେଶ୍ବରୀଙ୍କ ମନ୍ଦିରରୁ ଚୋରି ଘଟଣାରେ ସଦର ଟାଉନ ଥାନା ପୋଲିସ 2 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ନଭେମ୍ବର 30 ତାରିଖ ବିଳମ୍ବିତ ରାତିରେ ମନ୍ଦିର ମୁଖ୍ୟ ଫାଟକ ଓ ଗମ୍ଭୀରାର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଚୋରି କରି ନେଇଥିଲେ ।
ଦେବୀ ମା' ସୁରେଶ୍ବରୀ ପରିଧାନ କରିଥିବା 20 ଭରି ଓଜନର ରୂପା ମୁକୁଟ ଓ ୨ଟି ବଡ଼ ବଡ଼ ରୂପା ଛତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ସୋନପୁର ପୋଲିସ ତଦନ୍ତ କରିବା ସହିତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତ ଦ୍ବୟ ସୋନପୁର ସହରର ମହାଦେବ ଥପା ଓ ସୁଶାନ୍ତ ବେହେରା ବୋଲି ଜଣାପଡ଼ିଛି । ତା' ସହ ତାଙ୍କଠାରୁ 120 ଗ୍ରାମର ରୂପା ବିସ୍କୁଟକୁ ମଧ୍ୟ ପୋଲିସ ଜବତ କରିଛି ।
ଦେବୀ ମା'ଙ୍କ ମନ୍ଦିରରୁ ଚୋରି ହେବା ପରେ ଶ୍ରଦ୍ଧାଳୁମାନଙ୍କ ଭକ୍ତି ଭାବନାରେ ବେଶ ଆଘାତ ହୋଇଥିଲା । ସହରର ବରିଷ୍ଠ ନାଗରିକମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଏହି ଚୋରି ରହସ୍ୟର ଉନ୍ମୋଚନ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ ।
![ଦେବୀ ମା' ସୁରେଶ୍ଵରୀ ମନ୍ଦିର ଚୋରି ଘଟଣା, ୨ ଗିରଫ](https://etvbharatimages.akamaized.net/etvbharat/prod-images/od-son-02-stolen-sureswari-ornaments-avb-od10013_11122021125305_1112f_1639207385_34.jpg)
ତେବେ ପୋଲିସ ୨ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଏହି ଘଟଣାରେ ଆଉ କିଏ ସଂପୃକ୍ତ ଅଛନ୍ତି ସେ ନେଇ ପୋଲିସ ତଦନ୍ତ କରୁଛି । ସଦର SDPO ଏନେଇ ସାମ୍ବାଦିକଙ୍କୁ ସବିଶେଷ ସୂଚନା ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ