ସମ୍ବଲପୁର: ଆଜିଠାରୁ ଅଇଁଠାପାଲିସ୍ଥିତ PHD ପଡ଼ିଆରେ ଆରମ୍ଭ ହୋଇଛି ପଶ୍ଚିମ ଓଡ଼ିଶା କୃଷିମେଳା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଟୁଆଲ ମୋଡ୍ରେ ଏହାର ଶୁଭ ଉଦ୍ଘାଟନ କରିଥିଲେ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ସମ୍ବଲପୁରରେ ଏହି ରାଜ୍ୟସ୍ତରୀୟ କୃଷିମେଳା ଆୟୋଜନ ହେଉଛି । ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ମେଳା ଜାନୁଆରୀ 31 ତାରିଖ ଯାଏଁ ଚାଲିବ ।
କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ରାଜ୍ୟ ସରକାରଙ୍କ କୃଷି ବିଭାଗର ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, କୁଚିଣ୍ଡା ବିଧାୟକ କିଶୋର ନାଏକ, ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୋଦିନୀ ନାଏକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ସମ୍ବଲପୁରରେ ଏହି ରାଜ୍ୟସ୍ତରୀୟ କୃଷିମେଳା ଆୟୋଜନ ହୋଇଥିବା ବେଳେ ଏଥିରେ ପଶ୍ଚିମ ଓଡିଶାର 10ଟି ଜିଲ୍ଲାର ଓ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡର ଚାଷୀମାନେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ 10 ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନେ ମଧ୍ୟ ସମିଲ ହୋଇଥିଲେ ।
ଚାଷୀ ଓ ଚାଷୀ ଉଦ୍ୟୋଗୀଙ୍କୁ ସମ୍ମାନୀତ: ପଶ୍ଚିମ ଓଡ଼ିଶାରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିଛି । ମୁଖ୍ୟତଃ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଧାନ ଉତ୍ପାଦନ ଜାତୀୟ ସ୍ତରରେ ପହଞ୍ଚିଛି । ତେବେ ଆଗାମୀ ଦିନରେ ଏହି କ୍ଷେତ୍ରର ଚାଷୀମାନେ କିପରି ଆହୁରି ଲାଭବାନ ହେବେ, ଯୁବକମାନେ କିପରି କୃଷି କ୍ଷେତ୍ରରେ ନିଜର ଆଗ୍ରହ ଦେଖାଇବେ, କୃଷି ଜନିତ ବ୍ୟବସାୟ କିପରି ବୃଦ୍ଧି ପାଇବ ସେହି ଉଦ୍ଦେଶ୍ୟ ରଖି ଆଜିଠାରୁ ସମ୍ବଲପୁର ଅଇଁଠାପାଲି ସ୍ଥିତ PHD ପଡ଼ିଆରେ ଏହି ରାଜ୍ୟସ୍ତରୀୟ କୃଷିମେଳା ଆରମ୍ଭ ହୋଇଛି । ଏହି ମେଳାରେ କୃଷିମନ୍ତ୍ରୀଙ୍କ ସମେତ ଉପସ୍ଥିତ ଅତିଥିମାନେ କାର୍ଯ୍ୟକ୍ରମର ଆରମ୍ଭରେ କେତେକ ସଫଳ ଚାଷୀ ଓ ଚାଷୀ ଉଦ୍ୟୋଗୀଙ୍କୁ ସମ୍ମାନୀତ କରିଥିଲେ ।
ଯୁବପୀଢ଼ିଙ୍କୁ କୃଷି ଭିତ୍ତିକ ବ୍ୟବସାୟ ପ୍ରତି ଆକୃଷ୍ଟ କରିବା ମେଳାର ମୁଖ୍ୟ ଉଦ୍ଦେଶ୍ୟ: ଏହି ମେଳାରେ ପ୍ରଥମ 2 ଦିନ ଉପସ୍ଥିତ ଚାଷୀଙ୍କୁ ଉନ୍ନତମାନର ଚାଷ, କୃଷି ଯନ୍ତ୍ରପାତି, ଜୈବିକ ଚାଷ ନେଇ ତାଲିମ ଦିଆଯିବ । ଏହାଦ୍ୱାରା ଉତ୍ପାଦନ ବୃଦ୍ଧି ପାଇବ । ଏହାସହ ଚାଷୀଙ୍କ Capacity building, ଆଧୁନିକ କୃଷି ତାଲିମ, ଅଣ ଧାନଚାଷ ଯଥା ଡାଲି ଜାତୀୟ ଚାଷ, ଫୁଲ ଚାଷ, ପନିପରିବା ଚାଷ, ଅର୍ଥକାରୀ ଫସଲ, ମାଛ ଚାଷ, କୁକୁଡ଼ା ଚାଷ, କୃଷି ଉପକରଣ ଓ ଯନ୍ତ୍ରପାତିରେ ରିହାତି, କୃଷି କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ କିପରି ବୃଦ୍ଧି ପାଇବ ସେନେଇ ତାଲିମ ଦିଆଯିବ । ସମ୍ବଲପୁରରେ ହେଉଥିବା ଏହି ମେଳାରେ ବିଭିନ୍ନ ପ୍ରକାର କୃଷିଜାତ ଦ୍ରବ୍ୟ, କୃଷି ଯନ୍ତ୍ରାଂଶ ଓ ସ୍ୱୟଂ ସହାୟକ ଗୋଷ୍ଠିର ଷ୍ଟଲ ପଡିଛି । ମୁଖ୍ୟତଃ ଚାଷୀଙ୍କୁ କୃଷି କ୍ଷେତ୍ରରେ ଥିବା ବିଭିନ୍ନ ଯୋଜନାର ରିହାତି ନେଇ ଯୁବପୀଢ଼ିଙ୍କୁ ସଚେତନ କରି କୃଷି ଭିତ୍ତିକ ବ୍ୟବସାୟ ପ୍ରତି ଆକୃଷ୍ଟ କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ।
କୃଷି କ୍ଷେତ୍ରରେ ରାଜ୍ୟ ସରକାର 75 ପ୍ରତିଶତ ରିହାତି ଦେଉଥିବା ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ଏହି ମେଳାରେ କୃଷି କ୍ଷେତ୍ର ପାଇଁ 500 କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ଥିବାର ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ । ଏହାସହ ଆଗାମୀ ଦିନରେ କୃଷି ପାଇଁ ଜଳସେଚନରେ ରାଜ୍ୟ ସରକାରଙ୍କ ବହୁତ ପ୍ରକଳ୍ପ ରହିଛି ବୋଲି ସୂଚନା ଦେଇଛନ୍ତି WODC ଚେୟାରମ୍ୟାନ ଅସିତ ତ୍ରିପାଠୀ । ଆଗାମୀ ଦିନରେ ରାଜ୍ୟ ସରକାର ଆହୁରି 15ଟି ବ୍ୟାରେଜ ତିଆରି ତିଆରି କରିବେ ବୋଲି ଅସିତ ତ୍ରିପାଠୀ କହିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ କୃଷି ଯୋଜନା ନେଇ ଯୁବପୀଢ଼ିକୁ ଅଧିକ ସଚେତନ କରାଯିବ ବୋଲି ସୂଚନା ଦେଇଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ।
ଇଟିଭି ଭାରତ, ସମ୍ବଲପୁର