ସମ୍ବଲପୁର: ସମ୍ବଲପୁରର ଶିକ୍ଷା ନଗରୀ ବୁର୍ଲାରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏବେ ରାଗିଂ ଘଟଣା ପ୍ରାୟତଃ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । କିଛି ଦିନ ପୂର୍ବରୁ ଭିମସାରରେ ମେଡିକାଲ ଛାତ୍ରଙ୍କୁ ରାଗିଂ ଘଟଣା ମନରୁ ଲିଭି ନଥିବାବେଳେ ଭିସୁଟରୁ ପୁଣି ରାଗିଂ ଅଭିଯୋଗ ହୋଇଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି ।
ସୂଚନାଯୋଗ୍ୟ, ଭିସୁଟର ବିଟେକ ଚତୁର୍ଥ ବର୍ଷର କିଛି ଛାତ୍ର ବିଟେକ ଦ୍ବିତୀୟ ବର୍ଷର ୪ ଜଣ ଛାତ୍ରଙ୍କୁ ରାଗିଂ କରିଥିବା ଲିଖିତ ଅଭିଯୋଗ ହୋଇଛି । ରାଗିଂର ଶିକାର ଛାତ୍ରମାନେ ଭିସୁଟ କର୍ତ୍ତୃପକ୍ଷ ଏବଂ ଆଣ୍ଟି ରାଗିଂ ସେଲକୁ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡିଛି । ତେବେ ଛାତ୍ରଙ୍କ ଅଭିଯୋଗ ଆଧାରରେ ଭିସୁଟ କୁଳପତି ଏକ ଡିସିପିଲିନାରୀ କମିଟି ଗଠନ କରି ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ।
ଅଭିଯୋଗ ମୁତାବକ, ହୋଲି ଦିନ ବିଳମ୍ବିତ ରାତି 2 ଟା ସମୟରେ ବିଟେକ ଦ୍ଵିତୀୟ ବର୍ଷର କିଛି ଛାତ୍ରଙ୍କୁ ଚତୁର୍ଥ ବର୍ଷର କିଛି ଛାତ୍ର ଏକ କୋଠରୀ ମଧ୍ୟକୁ ଜୋର ଜବରଦସ୍ତ ଡାକି ନେଇ ସେଠାରେ ରାଗିଂ କରିଛନ୍ତି। ଭିସୁଟରେ ପୂର୍ବରୁ ମଧ୍ୟ ଏଭଳି ଘଟଣାର ନଜିର ରହିଛି । ଘଟଣାର ଗୁରୁତ୍ୱକୁ ଦେଖି ଭିସୁଟ କୁଳପତି ତୁରନ୍ତ ଏହା ଉପରେ ତଦନ୍ତ କରାଉଛନ୍ତି । ସେପଟେ ଏହି ଘଟଣାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି ହୋଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ