ରାୟଗଡା: ଲୋକେ ଚନ୍ଦ୍ରରେ ପହଞ୍ଚିଲେଣି କିନ୍ତୁ ଆଜି ବି ସମାଜରେ ବସା ବାନ୍ଧି ବସିଛି ଗୁଣିଗାରେଡି ଭଳି କୁସଂସ୍କାର । ଅନ୍ଧବିଶ୍ବାସ ଯୋଗୁଁ ଅନେକ ନିରୀହ ଲୋକେ ଅକାଳରେ ପ୍ରାଣ ହରାଉଛନ୍ତି । ଆଉ ସମାଜରୁ ଏସବୁକୁ ଦୂରେଇବା ପାଇଁ ଆଗକୁ ଆସିଛି ଜିଲ୍ଲା ପ୍ରଶାସନ । ତେବେ ରାୟଗଡା ଜିଲ୍ଲାରେ ଅନ୍ଧବିଶ୍ବାସରୁ ଲୋକଙ୍କୁ ଦୂରେଇ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।
ରାୟଗଡା ଜିଲ୍ଲାର ତାଡମା ଗାଁରେ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଓ ପ୍ରଥପ୍ରାନ୍ତ ନାଟକ କରାଯାଇଥିଲା । ଗୁଣିଗାରେଡି ସନ୍ଦେହରେ ତାଡମା ଗାଁର କ୍ରିଷ୍ଣା ହିମିରିକା ସେହି ଗ୍ରାମର ପୁଲୁ ମେଲକାଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ଏଭଳି ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଲୋକମାନେ ଏସବୁରୁ ଦୂରେଇ ରହିବାକୁ ଶପଥ ପାଠ କରାଯାଇଥିଲା ।
ଏଥିରେ ରାୟଗଡା ଉପଜିଲ୍ଳାପାଳ, ଏସଡିପିଓ, ବିଡିଓ, ଏବିଡିଓ, ସିଡିପିଓ ଓ ଥାନା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ସୂଚନା ଯୋଗ୍ୟ, ଅନ୍ଧବିଶ୍ବାସ ପାଇଁ ଗତ ବର୍ଷ ଜିଲ୍ଲାରେ 3ଜଣଙ୍କର ମୁଣ୍ଡ କାଟି ଅଲଗା କରି ଦିଆଯାଇଥିଲା ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ