ପୁରୀ: ନିର୍ବାଚନ ଖବର ସଂଗ୍ରହ ବେଳେ କଣାସ ଗଡ଼ିଶାଗଦା ଥାନା ଅନ୍ତର୍ଗତ ବଡାଲ ଗ୍ରାମପଞ୍ଚାୟତରେ ଦୁଇଜଣ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ 8 ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ । କେସ ନମ୍ବର 50/2022 ଓ 51/2022 ରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଚଳାଇଥିଲା ପୋଲିସ ।
ଗତକାଲି ରାତି ଅଧରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସାକ୍ଷ୍ୟ ପ୍ରମାଣ ଆଧାରରେ 8 ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ନାମରେ 341, 323,325, 294,506,307,395, 34/IPC ଭଳି ସଙ୍ଗୀନ ଦଫା ଲଗାଯାଇଛି । ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛି ପୋଲିସ । ଅନ୍ୟପଟରେ ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ଫୋନ, ୨ଟି ବୁମ, ଲାଇଭ ଟେଲିକାଷ୍ଟ ମେସିନ, ତାରବିହୀନ ବଣ୍ଡଲ ଜବତ କରାଯାଇଛି ।
ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ଏସଡିପିଓ କିଶୋର ମୁଣ୍ଡଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଅଧିକ ତଦନ୍ତ ଜାରି ରହିଛି । ସମସ୍ତ ଗିରଫ କଣାସ ବଢାଳ ଗ୍ରାମର । ସେମାନେ ହେଲେ ସତ୍ୟପ୍ରିୟ ମହାରଣା, ବିଜୟ ସ୍ବାଇଁ, ସୁବାଷ ମାଝୀ, ନିକୁଞ୍ଜ ସ୍ବାଇଁ, ଉତ୍ତମ ଭୂଜବଳ, ଅଜୟ ବରିସାଲ, ବିଦ୍ୟାଧର ସ୍ବାଇଁ ଓ ବ୍ରଜବନ୍ଧୁ ସ୍ବାଇଁ ।
ସୂଚନା ଅନୁଯାୟୀ ବୁଧବାର ଖବର ସଂଗ୍ରହ ବେଳେ ଦୁଇଟି ଓଡ଼ିଆ ଟେଲିଭିଜନ୍ ଚ୍ୟାନେଲର ସାମ୍ବାଦିକଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତ ନିର୍ବାଚନରେ ମତଦାନ ଖବର ସଂଗ୍ରହ କରୁଥିବା ସାମ୍ବାଦିକ ସୁମନ୍ତ ସୁନ୍ଦରାୟ, କ୍ୟାମେରାମ୍ୟାନ ଚିତନ ସ୍ବାଇଁ, ସାମ୍ବାଦିକ ସରୋଜ ମଲ୍ଲିକ ଓ କ୍ୟାମେରାମ୍ୟାନଙ୍କ ଉପରକୁ ଆକ୍ରମଣ ହୋଇଥିଲା । ଫଳରେ ୪ଜଣ ଗୁରୁତର ଆହତ ହୋଇଥିଲେ । କିଛି ଲୋକ ହଠାତ୍ ବୁଥ୍ ଜବରଦଖଲ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଭିଜୁଆଲ ରେକର୍ଡ ହେଉଥିବା ଦେଖି ରାଗରେ ଉତ୍ୟକ୍ତ ଲୋକ ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ