ପୁରୀ: ରାଧାକାନ୍ତ ମଠର ମହନ୍ତ ତଥା ବରିଷ୍ଠ ନାଗରିକ ଧ୍ୟାନଚନ୍ଦ୍ର ଦାସ ଗୋସ୍ବାମୀଙ୍କ ଜୀବନ ବିପଦରେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରତି ଚରମ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ମଠର ପରିଚାଳନା ଦାୟିତ୍ବରେ ଥିବା କୃଷ୍ଣଗୋପାଳ ଦାସ ଉଦ୍ଦେଶ୍ୟମୂଳକ ଭାବେ ଅବହେଳା କରୁଥିବା ଉପ-ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଆଣିଛି ମଠ ମନ୍ଦିର ସୁରକ୍ଷା ପରିଷଦ।
ବାଲିସାହିରେ ଥିବା ରାଧାକାନ୍ତ ମଠ ଅତି ପ୍ରଚୀନ ଓ ବିତ୍ତଶାଳୀ। ଶ୍ରୀଚୈତନ୍ୟ ମହାପ୍ରଭୁ ଅନ୍ତିମ 18 ବର୍ଷ ଏହି ମଠର ଏକ କୋଠରୀରେ ବାସ କରିଥିଲେ। ୯୬ ବର୍ଷୀୟ ଧ୍ୟାନଚନ୍ଦ୍ର ଦାସ ଗୋସ୍ବାମୀ ଏହି ମଠର ଟ୍ରଷ୍ଟି । ପରିଣତ ବୟସରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଛି । ତେଣୁ ତାଙ୍କର ସେବା, ଯତ୍ନ ନିହାତି ଆବଶ୍ୟକ। ତେବେ ମଠର ପରିଚାଳନା ଦାୟିତ୍ବରେ ଥିବା କୃଷ୍ଣଗୋପାଳ ଦାସ ମହନ୍ତଙ୍କ ଦେଖାରେଖାରେ ଅବହେଳା କରୁଛନ୍ତି । ମହନ୍ତଙ୍କ ଜୀବନର ସୁରକ୍ଷା ସହ ତାଙ୍କ ଯତ୍ନ ପାଇଁ ମଠ ମନ୍ଦିର ସୁରକ୍ଷା ପରିଷଦ ଦାବି କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ