ନୟାଗଡ଼: ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସ୍ମୃତି ରହିଛି । ସେଭଳି ବୀର ପୁରୁଷ ମାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ନୟାଗଡ଼ ରଣପୁର ଅଞ୍ଚଳର ଦୁଇ ଶହୀଦ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା । ନୟାଗଡ଼ ଜିଲ୍ଲା ତତ୍କାଳୀନ ରଣପୁରଗଡ଼ ରାଜ୍ୟରେ ଅତ୍ୟାଚାରୀ ରାଜାଙ୍କର ଅକଥନୀୟ ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ ଶହୀଦ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା । ରଣପୁରରେ ପ୍ରଜାମେଳି ଗଢ଼ି ଏହି ଦୁଇ ସଂଗ୍ରାମୀ ବନ୍ଧୁ ଦେଶପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ । ଏହାକୁ ନେଇ ରଣପୁରରେ ଉଭୟଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଛି ।
ରଣପୁର ରାଜାଙ୍କ ଅକଥନୀୟ ଅତ୍ୟାଚାରକୁ ବିରୋଧ କରି ରଣପୁରଗଡ଼ର ଜନସାଧାରଣ 1938 ମସିହାରେ ପ୍ରଜାମେଳି ଗଢ଼ି ପ୍ରଜା ଆନ୍ଦୋଳନକୁ ବ୍ୟାପକ କରାଇଥିଲେ । 1939 ମସିହାରେ ରଣପୁର ଅଞ୍ଚଳର ହଜାର ହଜାର ପ୍ରଜା ମେଳିବାନ୍ଧି ଅତ୍ୟାଚାରୀ ରାଜାଙ୍କ ରାଜବାଟି ଅଭିମୁଖେ ଅଗ୍ରସର ହୋଇଥିଲେ । ଏହାଦେଖି ତତ୍କାଳୀନ ରାଜା ତାଙ୍କ ରାଜନୈତିକ ଅନୁଚର ବେଜେଲଗେଟ ସାହେବଙ୍କୁ ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ରଣପୁର ଡକାଇଥିଲେ । ବେଜଲଗେଟ ସାହେବ ଢେଙ୍କାନାଳରେ ବାଜିରାଉତଙ୍କୁ ଗୁଳି କରିବା ସହ ଦଶପଲ୍ଲାରେ ଜଣେ ଗର୍ଭବତୀଙ୍କୁ ପାଦରେ ଦଳି ହତ୍ୟା କରିଥିଲେ । ଏହା ପ୍ରଜା ଆନ୍ଦୋଳନକୁ ଅଧିକ ପ୍ରଭାବିତ କରିଥିଲା ।
ଯାହାକୁ ନେଇ ଉତ୍ୟକ୍ତ ପ୍ରଜାମାନେ ବେଜଲଗେଟଙ୍କୁ ପ୍ରବଳ ବିରୋଧ କରିଥିଲେ । ଏହାକୁ ଦେଖି ବେଜଲଗେଟ ପ୍ରଜାଙ୍କ ଉପରେ ଗୁଳିବର୍ଷା କରିବାରୁ ସେହି ସ୍ଥାନରେ ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିଲା । ଆଉ ଏହାପରେ ଶହୀଦ ରଘୁ- ଦିବାକର ପ୍ରଜାଙ୍କୁ ଏକାଠି କରି ଭାରତ ମାତାର ଜୟ ନାରାରେ ବେଜେଲଗେଟଙ୍କୁ ସେହି ସ୍ଥାନରେ ବାଉଁଶ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲେ ।
ଶହୀଦ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ନେତୃତ୍ୱରେ ରଣପୁରଗଡ଼ର ମୁଣ୍ଡ ଟେକିଥିବା ଏହି ପ୍ରଜା ଆନ୍ଦୋଳନ ସାରା ଦେଶରେ ଚହଳ ସୃଷ୍ଟି କରିଥିଲା । ବେଜଲଗେଟଙ୍କୁ ପ୍ରଜାମାନେ ହତ୍ୟାକରିଥିବା ଖବର ପାଇ ଶହଶହ ବ୍ରିଟିଶ ବାହିନୀ ରଣପୁରଗଡ଼ରେ ପହଞ୍ଚିଥିଲେ । ପ୍ରଜାମେଳିର ପ୍ରଜାମାନଙ୍କୁ ବ୍ରିଟିଶମାନେ ଦମନ କରିବା ସହ ପ୍ରଜାଆନ୍ଦୋଳନର ସଂଗ୍ରାମୀ ରଘୁ-ଦିବାକରଙ୍କୁ ଗିରଫ କରି ବିହାରର ଭଗଲପୁର ଜେଲରେ ଭର୍ତ୍ତି କରିଥିଲେ । ଶେଷରେ 1941 ମସିହା ଏପ୍ରିଲ 4 ତାରିଖରେ ଏହି ଦୁଇ ବୀର ସଂଗ୍ରାମୀଙ୍କୁ ଜେଲରେ ଫାଶୀ ଦିଆଗଲା । ଦେଶମାତୃକା ପାଇଁ ଶହୀଦ ହୋଇ ଯୁଗଯୁଗ ପାଇଁ ଅମର ହୋଇଗଲେ ଏହି ଦୁଇ ବୀର ସଂଗ୍ରାମୀ ।
ଭାରତର ପ୍ରଜା ଆନ୍ଦୋଳନରେ ଜଣେ ସଚ୍ଚୋଟ ସିପାହୀ ଭାବେ ନିଜ ଜୀବନକୁ ଦେଶ ମାତୃକା ପାଇଁ ଉତ୍ସର୍ଗୀ କରିଥିବା ଏହି ଦୁଇ ବୀର ସଂଗ୍ରାମୀଙ୍କ ସ୍ମୃତିକୁ ଆଜି ମନେ ପକାଇଛି ମାଟି ମା' l ନୟାଗଡ଼ ହେଉ କିମ୍ବା ରାଜ୍ୟର ପ୍ରତ୍ୟେକ ସ୍ଥାନରେ ଆଜି ରଘୁ-ଦିବାକରଙ୍କୁ ମନେ ପକାଇଛନ୍ତି ସଭିଏଁ l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ