ଖୋର୍ଦ୍ଧା/ନୟାଗଡ଼: ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ରାଜସୁନାଖଳା ନିକଟସ୍ଥ ବିନୋଦପଡ଼ା ଛକରେ ଏକ ଗ୍ୟାସ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ଗ୍ୟାସ୍ ଟ୍ୟାଙ୍କରରୁ ପ୍ରବଳ ମାତ୍ରାରେ ଗ୍ୟାସ୍ ଲିକ୍ ହେଉଛି । ଫଳରେ ଏଠାରେ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ରହିଛି ।
ଅଙ୍ଗାରକାମ୍ଳ ଭର୍ତ୍ତି ହୋଇ ରହିଥିବା ଏହି ଗ୍ୟାସ୍ ଟ୍ୟାଙ୍କର ବୌଦ୍ଧରୁ ଭୁବନେଶ୍ବର ଅଭିମୁଖେ ଯାଉଥିଲା । ତେବେ ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ଟ୍ୟାଙ୍କରଟି ଏକ ହାଇୱାକୁ ପଛ ପଟକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ ।
ଦୁର୍ଘଟଣାଗ୍ରସ୍ତ ଗ୍ୟାସ ଟ୍ୟାଙ୍କରରେ ୧୩ ହଜାର ଲିଟର ଅଙ୍ଗାରକାମ୍ଳ ଗ୍ୟାସ ରହିଥିବା ଅନୁମାନ କରାଯାଉଛି l ଗ୍ୟାସ ଲିକ୍ ଯୋଗୁଁ ଏହି ରାସ୍ତା ଦେଇ ଯାତାୟତରେ ବାଧା ସୃଷ୍ଟି ହୋଇଛି । ଖାଲି ସେତିକି ନୁହେଁ ଏଠାରେ ଲୋକଙ୍କ ନିଃଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେଉଛି । ତା ସହିତ ଟାଙ୍କିଟି ଫାଟି ଯିବାର ଭୟ ମଧ୍ୟ ରହିଛି l ଲୋକେ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ଟ୍ରକ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବାହିନୀ କିମ୍ବା ପୋଲିସ ଘଟଣାସ୍ଥଳରେ ଏଯାଏଁ ପହଞ୍ଚି ନଥିବା ଅଭିଯୋଗ ହୋଇଛି । ଦୁର୍ଘଟଣା ପରେ ଟ୍ୟାଙ୍କରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଓ ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ