ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମାନିଗାଁ ଓ ଧନସୁଲି ଆଶ୍ରମ ସ୍କୁଲର ତିନି ଜଣ ଶିକ୍ଷକଙ୍କ ନିଲମ୍ବନ ଆଦେଶକୁ ଜିଲ୍ଲା ମଙ୍ଗଳ ବିଭାଗର ଶିକ୍ଷକ ସଂଘ ବିରୋଧ କରିଛନ୍ତି । ନିଲମ୍ବିତ ଶିକ୍ଷକଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି କରିଛି ସଂଘ । ଏବେ ଏହାକୁ ନେଇ ରାଜନୀତି ସରଗରମ ।
ଜିଲ୍ଲା କଂଗ୍ରେସ ସଭାପତିଙ୍କ ନେତୃତ୍ବରେ ଏକ ଆଠ ଜଣିଆ ପ୍ରତିନିଧି ବିଶିଷ୍ଟ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ମାନିଗାଁ ଆଶ୍ରମ ସ୍କୁଲ ପରିଦର୍ଶନ କରିଥିଲା । ଏହାସହ ଘଟଣାର ଅନୁସନ୍ଧାନ କରିବାକୁ ଚେଷ୍ଟା କରିଥିଲା ଉକ୍ତ ଦଳ । ବିଧାୟକ ମନୋହର ରାନ୍ଧରୀ ସ୍କୁଲ ପରିଦର୍ଶନ କରିବା ଓ ସେହି ପରିଦର୍ଶନ ସମୟରେ ବିଧାୟକଙ୍କ ଶିକ୍ଷକ ମାନଙ୍କ ପ୍ରତି ଆଚରଣ, ସ୍କୁଲ ପରିସରରେ ବିଧାୟକଙ୍କ କାର୍ଯ୍ୟକଳାପ ତଥା କେଉଁ ପରିସ୍ଥିତିରେ ମଧ୍ୟାହ୍ନ ଭୋଜନ ହେଉଛି, ଏଥିରେ ଛାତ୍ରଛାତ୍ରୀଙ୍କୁ ନିଆଣ୍ଟିଆ ହେଉଛି କି ? ସେ ନେଇ ଦଳ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହ ଆଲୋଚନା କରିଛି ଟିମ ।
ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ବୁଝିବା ସହିତ ସେ ଦିନର ପାରିପାର୍ଶ୍ବିକ ପରିସ୍ଥିତି ସମ୍ପର୍କରେ ଦଳ ତଦନ୍ତ କରିଛି । ସ୍କୁଲ ପରିଦର୍ଶନ ପରେ ଓ ଘଟଣା ସମ୍ପର୍କରେ ତଦନ୍ତ କରି ଅବଗତ ହେବା ପରେ ପ୍ରତିନିଧି ଦଳ ସ୍କୁଲ ଶିକ୍ଷକଙ୍କ କୌଣସି ଭୁଲ ନଥିବା ପ୍ରକାଶ କରିଛି । ବିଧାୟକଙ୍କ ସ୍କୁଲ ପରିଦର୍ଶନ ଦିନ ନିଜ ଭାଇଙ୍କ ଦେହାନ୍ତ ଯୋଗୁଁ ପ୍ରଧାନ ଶିକ୍ଷୟତ୍ରୀ ଅନୁପସ୍ଥିତ ଥିଲେ । ସେପଟେ ବିଧାୟକ ରୋଷେଇ ହୋଇଥିବା ମଧ୍ୟାହ୍ନ ଭୋଜନ ଛାତ୍ରଛାତ୍ରୀଙ୍କୁ ନିଜେ ବାଣ୍ଟିଥିଲେ । ଛାତ୍ରଛାତ୍ରୀଙ୍କ ଥାଳିରେ ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ପରସି ଥିଲେ । ଯାହାଫଳରେ ଛାତ୍ରଛାତ୍ରୀ ଥାଳିରେ ଖାଦ୍ୟ ଫିଙ୍ଗିବାକୁ ବାଧ୍ୟ ହୋଇଥିଲେ ।
ଅନ୍ୟପଟେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ତାହା ନିଆଣ୍ଟିଆ ହୋଇଥିବା ପ୍ରତିନିଧି ଦଳ ସୂଚନା ଦେଇଛି । ତେବେ ବିଧାୟକଙ୍କ ଚାପରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଓ ଶିକ୍ଷକ କାର୍ଯ୍ୟରୁ ନିଲମ୍ବିତ ହୋଇଥିବା ଦଳ କହିଛି । ଜଣେ ବିଧାୟକ ସ୍କୁଲ ପରିଦର୍ଶନ କରିବା ଓ ସ୍କୁଲ ପରିଚାଳନା ବ୍ୟବସ୍ଥା ଯାଞ୍ଚ କରିବାକୁ ଦଳ ସ୍ବାଗତ କରୁଛି । ହେଲେ ପରିଦର୍ଶନ ଆଢୁଆଳରେ ରହି ସ୍କୁଲ ଭଳି ଏକ ପବିତ୍ର ସ୍ଥାନରେ ବିଧାୟକ ଏଭଳି ବେଆଇନ ଢଙ୍ଗରେ ନିଜ କର୍ମୀଙ୍କ ସହ ପଶି ସ୍କୁଲ ରେଜିଷ୍ଟ୍ରରରେ ସାଇନ ନକରି ସ୍କୁଲକୁ ଧସେଇ ପଶିଥିଲେ । ବିଧାୟକଙ୍କ ଏହି ବେଆଇନ କାର୍ଯ୍ୟ କରିବାକୁ ଦଳ ନିନ୍ଦା କରୁଥିବା ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ପ୍ରକାଶ କରିଛନ୍ତି । ତାଙ୍କ ଏହି ରିପୋର୍ଟକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ୫ଟି ସଚିବଙ୍କୁ ପ୍ରଦାନ କରାଯିବ ବୋଲି ଦଳ କହିଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ