ଭୁବନେଶ୍ୱର: ରାଜ୍ୟପାଳଙ୍କ ଅଭିଭାଷଣକୁ ନେଇ ତେଜିଲା ରାଜନୀତି । ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଡକ୍ଟର ହରିବାବୁ କାମ୍ଭମପତି ତାଙ୍କର ଅଭିଭାଷଣ ରଖିଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ବିରୋଧୀ । ବିଜେଡି ରାଜ୍ୟପାଳଙ୍କ ଅଭିଭାଷଣକୁ ସାହିତ୍ୟ ସଭାର ଅଳଙ୍କାରିକ ଶବ୍ଦ କହିଥିବା ବେଳେ କଂଗ୍ରେସ କହିଛି ଏଥିରେ କୌଣସି ନୂତନତ୍ଵ ନାହିଁ । ଯାହାକୁ ନେଇ ତେଜିଛି ରାଜନିତୀ ।
"ମୋ ସରକାର ପ୍ରତ୍ୟକଙ୍କୁ ମୌଳିକ ସେବା ଯୋଗାଇ ଦେବା, ଜୀବିକା ସୁଯୋଗ ସୃଷ୍ଟି କରିବ ଏବଂ ଭିତିଭୂମି ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ପ୍ରତ୍ୟକ ନାଗରିକ କଲ୍ୟାଣକୁ ପ୍ରାଥମିକତା ଦେଉଛି ମୋ ସରକାର । ରାଜ୍ୟର ସବୁ ଅଞ୍ଚଳରେ ସମାନ ଅଭିବୃଦ୍ଧି ପାଇଁ ପ୍ରତିଜ୍ଞାବଦ୍ଧ ମୋ ସରକାର," ବୋଲି ଓଡିଶା ବିଧାନସଭାର ସପ୍ତଦଶ ଅଧିବେଶନରେ ଯୋଗଦେଇ ଅଭିଭାଷଣ ରଖିଲେ ରାଜ୍ୟପାଳ ।
Hon'ble Governor, Shri @DrHariBabuK
— Governor Odisha (@GovernorOdisha) February 13, 2025
addressed the Budget Session of the 17th #Odisha Legislative Assembly today. The session began with the customary ‘Guard of Honour’ accorded to the Hon’ble Governor. pic.twitter.com/V5pKqtjkNI
ରାଜ୍ୟପାଳଙ୍କ ଅଭିଭାଷଣ ହାଇଲାଇଟ୍ସ-
- ୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ସଶକ୍ତ କରିବେ ରାଜ୍ୟ ସରକାର
- ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରାୟ ୧୦ ଲକ୍ଷ ମହିଳାଙ୍କୁ ଏହି ସ୍ତରର ଆୟ ହାସଲ ପାଇଁ ଡାଲିମ ଦିଆଯିବ
- ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନା ଅଧୀନରେ ରାଜ୍ୟର ବିଭିନ୍ନ ସହରରେ ଚାଲିବ ୪୦୦ଟି ଇ-ବସ୍
- ସରକାରଙ୍କ ପକ୍ଷରୁ ଘୋଷଣା ଦୁଇ ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ୫୦,୦୦୦ ନିଯୁକ୍ତି
- ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଆଇଟିଆଇଟିଇଏସରେ ୫୦,୦୦୦ ନିଯୁକ୍ତି ସୃଷ୍ଟି ରାଜ୍ୟ ସରକାର ଲକ୍ଷ୍ୟ
- ଆସନ୍ତା ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ
- ପ୍ରଥମ ଦୁଇ ବର୍ଷରେ ୬୫,୦୦୦ ପଦବୀ ପୂରଣ ହେବ
- ୨୦୨୪-୨୫ରେ ୨୪ ହଜାରରୁ ଅଧିକ ସରକାରୀ ପଦବୀ ପୂରଣ ହୋଇସାରିଛି
- ଉଚ୍ଚଶିକ୍ଷାରେ ଉତ୍କର୍ଷତା ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି ସରକାର
- ଗୁରୁତ୍ବପୂର୍ଣ କ୍ଷେତ୍ରରେ ଉନ୍ନତ ଶିକ୍ଷା, ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଅନ୍ୟୁନ ପାଞ୍ଚଟି ନୂତନ ଉତ୍କର୍ଷ କେନ୍ଦ୍ର ଖୋଲାଯିବ
- ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଦିବ୍ୟାଙ୍ଗ ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ ପ୍ରୟାସ ରହିବ
- ଏନଇପି-୨୦୨୦ ଅନୁଯାୟୀ ୪ଟି ବିଶ୍ବବିଦ୍ୟାଳୟକୁ "ମେରୁ" (ମଲ୍ଟିଡିସିପ୍ଲିନାରୀ ଏଜୁକେସନ ଆଣ୍ଡ ରିସର୍ଚ୍ଚ ୟୁନିଭର୍ସିଟି)କୁ ଉନ୍ନୀତ କରାଯିବ
- କ୍ରମବର୍ଦ୍ଧିଷ୍ଣୁ ଉନ୍ନତ ଶିକ୍ଷାର ଚାହିଦାକୁ ପୂରଣ କରିବା ପାଇଁ ବିଶ୍ବବିଦ୍ୟାଳୟ ଓ ମହା ବିଦ୍ୟାଳୟ ଗୁଡିକର ସ୍ନାତକୋତ୍ତର ଆସନ ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି କରିବେ ସରକାର
ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା-
"ରାଜ୍ୟପାଳଙ୍କ ଅଭିଭାଷଣ ମାଧ୍ୟମରେ ବିଜେଡ଼ି ସରକାରର ଉପଲବ୍ଧି ଗୁଡ଼ିକର ଶ୍ରେୟ ନେବାକୁ ଚେଷ୍ଟା କରିଛି ବିଜେପି ସରକାର । ରାଜ୍ୟ ସରକାର ବିଫଳ ହୋଇଥିବା ବିଭିନ୍ନ କ୍ଷେତ୍ର ଗୁଡିକରେ ଗୁରୁତ୍ଵ ଦେବାର ଆବଶ୍ୟକତା ଅଛି । ଆଇନଶୃଙ୍ଖଳା, ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟା ଉପରେ ଦୃଷ୍ଟି ଦିଅନ୍ତୁ ସରକାର," ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
"ମୋତେ ଲାଗିଲା ମୁଁ ସାହିତ୍ୟ ସଭାରେ ବସିଛି । କେବଳ ଅଳଂକାରୀଙ୍କ ଶବ୍ଦ ଥିଲା । ଫମ୍ପା ମାଠିଆର ଶବ୍ଦ ବେଶି ।କ୍ୟାବିନେଟ ଦ୍ୱାରା ଲେଖାଯାଇଥିବା ଲେଖାକୁ ପଢୁଥିଲେ ରାଜ୍ୟପାଳ। କଟନୀ ଛଟନୀ ,ପୋଲାଭରମ, ଓଡ଼ିଆ ଅସ୍ମିତା ,ଆଇନ ଶୃଙ୍ଖଳା ସ୍ଥିତି ବିଗିଡି ଯାଇଛି । ସରକାରଙ୍କ ଲେଖାକୁ ପଢିଲେ ରାଜ୍ୟପାଳ," ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।
'ବିଜେଡି ତାଙ୍କ ଦଳକୁ ସମ୍ଭାଳାନ୍ତୁ'-
"ବିଜେଡି ତାଙ୍କ ଦଳକୁ ସମ୍ଭାଳାନ୍ତୁ । ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧୀ ଶାସକ ସମସ୍ତେ ଶୁଣିଛନ୍ତି । ବିକଶିତ ଓଡ଼ିଶାର ଗଠନ ନେଇ ଲକ୍ଷ୍ୟ ଅଛି ତାହା ସେଥିରେ ପ୍ରତିଫଳିତ ହେଉଥିଲା । ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଯୁକ୍ତି ଆରମ୍ଭ ହେଲାଣି । ଆସନ୍ତା ବର୍ଷେ ଭୋଟରେ ଲକ୍ଷେ ନିଯୁକ୍ତି ସୃଷ୍ଟି ହେବ, " ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି ।
ରାଜ୍ୟପାଳଙ୍କ ଅଭିଭାଷଣ ଉପରେ କଂଗ୍ରେସର ପ୍ରତିକ୍ରିୟା-
"ଏଥିରେ କିଛି ନୂତନତ୍ୱ ନାହିଁ l ଖାଲି ଶଗଡ଼କୁ ଦଉଡ଼େଇ ଦଉଡ଼େଇ ନେଉଛନ୍ତି । ଚାଷୀଙ୍କ ପାଇଁ କିଛି ନାହିଁ, ଯୁବକଙ୍କ ପାଇଁ କିଛି ନାହିଁ, ପୋଲାଭରମ କଥା ଲେଖି ନାହାଁନ୍ତି, ମହାନଦୀ କଥା ନାହିଁ, କୋଟିଆ କଥା ନାହିଁ, ଖଣି ଚୋରା ଚାଲାଣ କିଭଳି ରୋକ ଲାଗିବ ସେ କଥା ନାହିଁ l ସରକାର ଯାହା ଲେଖିଛନ୍ତି ରାଜ୍ୟପାଳ ତାହା ପଡିଛନ୍ତି, ଏହା ନିନ୍ଦିନୀୟ କଥା," ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।