କଟକ: ଆପାର୍ଟମେଣ୍ଟ ପଞ୍ଜୀକରଣ ସମ୍ପର୍କିତ ବିଜ୍ଞପ୍ତି ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୨୩ ମସିହାରେ ଜାରି ହୋଇଥିବା ଏହି ବିଜ୍ଞପ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଚଳିତ ବର୍ଷ ଫେବୃଆରୀ ମାସ ପହିଲାରେ ବିଭାଗ ପକ୍ଷରୁ ଆପାର୍ଟମେଣ୍ଟ କିଣାବିକା ନେଇ ଜାରି ହୋଇଥିଲା ବିଜ୍ଞପ୍ତି ।
ତେବେ ଏହି ବିଜ୍ଞପ୍ତି ଅନୁଯାୟୀ ୨୦୨୩ ମସିହାରେ ଜାରି ହୋଇଥିବା ସଂଶୋଧିତ ଆଇନ ଅନୁଯାୟୀ ଆପାର୍ଟମେଣ୍ଟ କିଣାବିକା ହେବ ବୋଲି ଉଲ୍ଲେଖ କରିଥିଲେ ରାଜ୍ୟ ସରକାର । ହେଲେ ଏହି ଆଇନ ୨୦୧୭ ମସିହା ପୂର୍ବରୁ ନିର୍ମାଣ ଶେଷ ହୋଇଥିବା ଆପାର୍ଟମେଣ୍ଟ ପଞ୍ଜିକରଣ ଉପରେ ଲାଗୁ ହେବ ନାହିଁ ବୋଲି ଚଳିତ ବର୍ଷ ଫେବୃଆରୀ ମାସ ପହିଲାରେ ରାଜ୍ୟ ସରକାର ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଥିଲା । ଯାହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଏକାଧିକ ଆବେଦନକାରୀ ।
ମନ୍ତ୍ରୀ ମହାପାତ୍ର କହିଥିଲେ,‘‘ରେରା ଆଇନ କାର୍ଯ୍ୟକାରିତାକୁ ଆସିବା ପୂର୍ବରୁ ତଥା 2017 ଫେବୃଆରୀ 25 ତାରିଖ ପୂର୍ବରୁ ଯେଉଁ ସବୁ ଆପାର୍ଟମେଣ୍ଟର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି, ସେସବୁ ପଞ୍ଜୀକରଣ ହୋଇପାରିବ । ଏନେଇ ନଗର ଉନ୍ନୟନ ବିଭାଗ ରାଜସ୍ବ ବିଭାଗକୁ ଅବଗତ କରାଇଛି । ସବ-ରେଜିଷ୍ଟ୍ରାରଙ୍କୁ ଏ ବାବଦରେ ରାଜସ୍ୱ ବିଭାଗ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିବାକୁ ଅନୁରୋଧ କରାଯାଇଛି । ଭୂସମ୍ପଦ (ନିୟାମକ ଓ ବିକାଶ) ଅଧିନିୟମ (RERA) ଆଇନ କାର୍ଯ୍ୟକାରୀ ଆସିବା ଆଗରୁ ଯେଉଁ ସବୁ ଆପାର୍ଟମେଣ୍ଟ ଚାଲିଥିଲା, ସେସବୁ ଉପରେ ପ୍ରତିବନ୍ଧକ ଲଗାଇବାର କୌଣସି କାରଣ ନଥିଲା । ‘ରେରା’ ପରିଧି ଭିତରକୁ ହିଁ ଏ ସବୁ ଆପାର୍ଟମେଣ୍ଟକୁ ଆଣିବାର କୌଣସି ଯଥାର୍ଥତା ନଥିଲା । ଏହାଦ୍ବାରା ଉଭୟ କ୍ରେତା ଓ ବିକ୍ରେତା ହଇରାଣ ହେଉଥିଲେ । ବିଲଡର କ୍ଷତି ସହୁଥିଲେ । ସରକାରଙ୍କର ବି ରାଜସ୍ବ ହାନୀ ମଧ୍ୟ ହେଉଥିଲା ।"
ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ,"ପାର୍ଟ–ପ୍ଲଟ କିଣାବିକା ସମସ୍ୟାକୁ ବି ପୂର୍ବ ସରକାରର ଗୋଳିଆ କରି ରଖିଥିଲେ । ଜରୁରୀ ଆବଶ୍ୟକତା ବେଳେ କିଣା ବିକା ହୋଇପାରୁନଥିଲା । ଆଂଶିକ କିଣା ବିକା ଉପରୁ ଖୁବଶୀଘ୍ର ପ୍ରତିବନ୍ଧକ ହଟିବ । ନଗର ଉନ୍ନୟନ ସଚିବ ଏନେଇ ଡ୍ରାଫ୍ଟ ପ୍ରୋପୋଜାଲ ଦେଇସାରିଛନ୍ତି ।" ଦୀର୍ଘ ଦିନ ହେଲା ପାର୍ଟ–ପ୍ଲଟ କିଣାବିକା, ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ କଟକଣାରେ ଲୋକେ ସନ୍ତୁଳି ହେଉଥିଲେ । ପ୍ରଥମ ପର୍ଯ୍ୟାୟରେ ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ କଟକଣା ହଟିଥିବା ବେଳେ ଏବେ ପାର୍ଟ-ପ୍ଲଟ ସମସ୍ୟାର ସରଳ ଓ ସହଜ ବାଟକୁ ସମସ୍ତଙ୍କର ଅପେକ୍ଷା ।
ମନ୍ତ୍ରୀଙ୍କ କହିବା ଅନୁସାରେ,"ବର୍ତ୍ତମାନର ଅଧିନିୟମ ସତ୍ତ୍ବେ ଯେଉଁ ସବୁ ଆପାର୍ଟମେଣ୍ଟ ଗୁଡିକ ୨୦୧୭ ଫେବ୍ରୁଆରୀ ୨୫ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଛି ସେହି ସବୁ ଆପାର୍ଟମେଣ୍ଟ ଗୁଡିକ ଓଡି଼ଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ସତ୍ତ୍ବେ ପଞ୍ଜିକରଣ ( ରେଜିଷ୍ଟ୍ରସନ ) କରାଯାଇପାରିବ। ଏନେଇ ଗୃହ ଓ ନଗର ଉନୟନ ବିଭାଗ ତରଫରୁ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଅନୁରୋଧ କରାଯାଇଛି । ବିଡିଏ ଏବଂ ବିଏମସିରେ ଓଡିଶା ଡେଭେଲପମେଣ୍ଟ ଅଥରିଟି-୧୯୮୨ କାର୍ଯ୍ୟକାରିତା ନେଇ ବିଭିନ୍ନ ସମୟରେ ଜାରି କରାଯାଇଥିବା ଆଦେଶନାମା ବିରୁଦ୍ଧରେ ପଡିରହିଥିବା ଅପିଲଗୁଡିକର ତୁରନ୍ତ ଫୈସଲା କରିବାକୁ ୭ ଜଣ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ଦିଆଯାଇଛି ।’’
ଇଟିଭି ଭାରତ, କଟକ