ନବରଙ୍ଗପୁର: ଚାଲାଣବେଳେ 32 ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ନବରଙ୍ଗପୁର ପୋଲିସ । ସେମାନଙ୍କ ମଧ୍ୟରେ 21 ଜଣ ବାଳକ ଥିବାବେଳେ 9 ଜଣ ମହିଳା ରହିଛନ୍ତି । ଦଲାଲ ସନ୍ଦେହରେ 2 ଜଣ ପୁରୁଷଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ ।
ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ଦେଇ ଉମରକୋଟରୁ ବିଶାଖାପାଟଣା ଯାଉଥିବା ଏକ ଘରୋଇ ବସରେ 32 ଜଣ ଦାଦନ ଶ୍ରମିକ ଥିବା ନେଇ ପୋଲିସ ସୂଚନା ପାଇଥିଲା । ଖବର ପାଇ ପୋଲିସ ମାଝିଗୁଡା ଛକ ଠାରେ ବସକୁ ଅଟକାଇଥିଲା । ଅଟକ ପରେ ପଚରାଉଚରା ପାଇଁ ସେମାନଙ୍କୁ ଥାନାକୁ ଅଣାଯାଇଥିଲା ।
ଦାଦନମାନେ ଛତିଶଗଡ କଣ୍ଡାଗାଁରୁ ତାମିଲନାଡୁକୁ ଯାଉଥିବା ଜଣାପଡିଛି । ଉଦ୍ଧାର ଦାଦନଙ୍କ ମଧ୍ୟରେ 2 ଜଣ ଦଲାଲ ଥିବା ପୋଲିସ ସନ୍ଦେହ କରୁଛି । ଅଟକ ଦାଦନଙ୍କୁ ପଚରାଉଚରା କରିବା ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ । ଏଥିସହିତ ସନ୍ଦେହରେ ଥିବା 2 ଯୁବକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ