ନବରଙ୍ଗପୁର: ଗତ କିଛି ଦିନ ହେଲା ନବରଙ୍ଗପୁର ଓ ଉମରକୋଟ ସହର ସମେତ ଜିଲ୍ଲାର ଅନ୍ୟ ବ୍ଲକ ମାନଙ୍କରେ ସଂକ୍ରମଣ ବୃଦ୍ଧି ପାଇଥିବା ଜିଲ୍ଲା ପ୍ରଶାସନର ଦେଇଥିବା ତଥ୍ୟରୁ ଜଣାପଡ଼ିଛି । ଶନିବାର ପୁଣି 107 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ମୋଟ କୋରୋନା ପଜିଟିଭ ସଂଖ୍ୟା 2129ରେ ପହଞ୍ଚିଛି । ଏନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।
ଶନିବାର ଚିହ୍ନଟ ହୋଇଥିବା 107 ଜଣଙ୍କ ମଧ୍ୟରୁ ଉମରକୋଟ ମ୍ୟୁନିସିପାଲିଟିରୁ 23 ଜଣ, ନବରଙ୍ଗପୁର ମ୍ୟୁନିସିପାଲିଟିର 21ଜଣ, ଝରିଗାଁ ବ୍ଲକରୁ 12ଜଣ, ନନ୍ଦାହାଣ୍ଡି ବ୍ଲକରୁ 10 ଜଣ ଓ ତେନ୍ତୁଳିଖୁଣ୍ଟି ବ୍ଲକରୁ 8 ଜଣ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁର ବ୍ଲକରୁ 5 ଜଣ, କୋଷାଗୁମୁଡା ବ୍ଲକରୁ 3ଜଣ, ରାଇଘର ବ୍ଲକରୁ 2 ଜଣ ଏବଂ ଉମରକୋଟ,ଡାବୁଗାଁ ଚନ୍ଦାହାଣ୍ଡି ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି ।
ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 2129 ରହିଥିବାବେଳେ ସେମାନଙ୍କ ମଧ୍ୟରୁ 1271 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି 846 ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବାବେଳେ ସେମାନଙ୍କ ମଧ୍ୟରୁ 739 ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 53892 କୋରୋନା ଟେଷ୍ଟ କରାଯାଇଥିବା ସୂଚନା ମିଳିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ