ରାଇରଙ୍ଗପୁର: ଦୁର୍ନୀତି ଅଭିଯୋଗ କରିବାରୁ ସାମ୍ବାଦିକଙ୍କୁ ଧମକ । ମୟୁରଭଞ୍ଜ ସାରସକଣା ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି । ଧଳପଥର ଚାଲାଣ କରୁଥିବା ହାଇଓ୍ବା ମାଲିକ ଫଟୋ ଉଠାଇବା ପାଇଁ କିଏ ଅନୁମତି ଦେଲା ବୋଲି ସାମ୍ବାଦିକଙ୍କୁ ପ୍ରଶ୍ନ କରିବା ସହ ପରିବାରକୁ ମାଟିରେ ମିଶାଇ ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଗଣମାଧ୍ୟମ ପ୍ରତିନିଧି ଝାରପୋଖରିଆ ଥାନାରେ ଏତଲା ଦେଇଛନ୍ତି ।
ଅଭିଯୋଗ ଅନୁସାରେ, ସାରସକଣା ତହସିଲ ଅନ୍ତର୍ଗତ କୋଟିଷୋଳ ବନବିଭାଗ ଅଧୀନରେ ଥିବା ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଧଳା ପଥର ଜେସିବି ମେସିନ ଦ୍ବାରା OD11U 5959 ଓ OD01V 7749 ରେଜିଷ୍ଟ୍ରେସନ ନଂ ବିଶିଷ୍ଟ ଦୁଇଟି ହାଇୱାରେ ଲୋଡିଂ ହେଉଥିଲା। ତେବେ ଜନୈକ ଗଣମାଧ୍ୟମ ପ୍ରତିନିଧି ଜଣକ ତାଙ୍କ କ୍ୟାମେରା ଯୋଗେ ଲୋଡିଂ ସମୟର ଭିଡିଓ କଏଦ କରିଥିଲେ । ଏହି ଘଟଣାକୁ ନେଇ ବନ ବିଭାଗ କର୍ମଚାରୀଙ୍କୁ ଫୋନ୍ ଯୋଗେ ବୁଝିବାରୁ ତାଙ୍କ ପାଖରେ ଏ ବିଷୟରେ କୌଣସି ଖବର ନଥିବା କହିଥିଲେ ସେ । ଅନ୍ୟପଟେ ମାଇନିଂ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ଯେଉଁ ପଥର ସିଜ କରା ଯାଇଥିଲା ସେ ଗୁଡିକୁ ଅନ୍ୟ ଗାଡ଼ି ଯୋଗେ ବାଲେଶ୍ବରକୁ ନିଆ ଯାଇଥିବା କହିଥିଲେ । କିନ୍ତୁ ଧଳା ପଥର ଲୋଡ଼ିଂ ହେଉଥିବା ହାଇୱା ଗାଡ଼ିର ମାଲିକ ପିଜୁସ ଗୋଚ୍ଛାୟତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଫୋନ୍ ମାଧ୍ୟମରେ ସିଧାସଳଖ ଧମକ ଦେବା ସହ ଗାଡିର ଫୋଟ ଉଠାଇବାକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଥିଲେ । ତାସହିତ ସପରିବାରକୁ ମାଟିରେ ମିଶାଇ ଦେବାର ଧମକ ଓ ଅସଭ୍ୟ ଭାଷା ପ୍ରୟୋଗ କରି ଗାଳି ଗୁଳଜ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଗଣମାଧ୍ୟମ ପ୍ରତିନିଧି ଜଣକ ଝାରପୋଖରିଆ ଥାନାରେ ଲିଖିତ ଅଭିଯୋଗ କରିବାରୁ କେସ ନଂ 52/23ରେ ମାମଲା ରୁଜୁ କରି ଥାନା ଅଧିକାରୀ ଫୋନୀନ୍ଦ୍ର ଭୂଷଣ ନାୟକ ତଦନ୍ତ ଜାରି ରଖିଛନ୍ତି । ତେବେ ଏଭଳି ଘଟଣାକୁ ନେଇ ସାଧାରଣରେ କଡ଼ା ନିନ୍ଦା କରା ଯାଇଥିବା ବେଳେ ଉକ୍ତ ହାଇୱା ଗାଡ଼ି ମାଲିକଙ୍କୁ ଗିରଫ କରିବା ପାଇଁ ସାମ୍ବାଦିକ ମହଲରେ ଦାବି ହୋଇଛି ।
ପ୍ରକାଶଥାଉକି, ପଥର ହେଉ ଅବା ମୋରମ, ଚୋରା ମଦ ହେଉ ଅବା ନକଲି ମଦ, ମାଫିଆ ରାଜ ଦିନକୁ ଦିନ ବଢି ଚାଲିଥିବା ବେଳେ ମୟୂରଭଞ୍ଜ ଭଳି ଏକ ଶାନ୍ତିପ୍ରିୟ ଜିଲ୍ଲାରେ ଦିନକୁ ଦିନ ଘଟୁଥିବା ଘଟଣାକୁ ନେଇ ସାଧାରଣରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଗତ ଦିନରେ ଜିଲ୍ଲାର ସାରସକଣା ଓ ବାଙ୍ଗିରିପୋଷି ଅଞ୍ଚଳରେ ପଥର ଚୋରା ଚାଲାଣ ରୀତିମତ ଚାଲିଥିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ପ୍ରଘଟ ହେବା ପରେ ପଦକ୍ଷେପ ନେଇଥିଲା ଜିଲ୍ଲା ପ୍ରଶାସନ । ରାଜ୍ୟରେ ବିଭିନ୍ନ ସମୟରେ ମାଫିଆମାନେ ପ୍ରଶାସନିକ ଅଧିକାରୀମାନଙ୍କୁ ମଧ୍ୟ ଆକ୍ରମଣ କରୁଥିବା ଘଟଣା ମଧ୍ୟ ସାମ୍ନାକୁ ଆସୁଛି ।
ଇଟିଭି ଭାରତ, ରାଇରଙ୍ଗପୁର