ରାଇରଙ୍ଗପୁର: ପୁଣି ମୟୂରଭଞ୍ଜ ଜିଲ୍ଲାରେ ଲଜ୍ଜା। ଘରେ କେହି ନଥିବା ବେଳେ ଘରୁ ଟେକି ନେଇ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କଲା ସମ୍ପର୍କୀୟ ଭାଇ । ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାଲେଇବେଡା ଗ୍ରାମ ପଞ୍ଚାୟତ ଏଦେଲବେଡା ଗ୍ରାମରେ।
ଏଦେଲବେଡା ଗ୍ରାମର ନାବାଳିକା ଜଣଙ୍କ ମଙ୍ଗଳବାର ସନ୍ଧ୍ୟା ସମୟରେ ଘରେ ଏକୁଟିଆ ପାଠପଢୁଥିବା ବେଳେ ପଡୋଶୀ ତୁରୀ ହୋ ନାବାଳିକାର ପାଟିରେ ଗାମୁଛା ବାନ୍ଧି ପାଖ ବିଲକୁ ଟେକି ନେଇ ବଳ ପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏନେଇ ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ପରିବାର।
ତେବେ ଏ ସମ୍ପର୍କରେ ଅଭିଯୋଗ ପାଇ ଠାକୁରମୁଣ୍ଡା ଥାନା ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ବି ଅଭିଯୁକ୍ତ ଚମ୍ପଟ ମାରିବାରେ ସକ୍ଷମ ହୋଇଛି। ଠାକୁରମୁଣ୍ଡା ଥାନା ପୋଲିସ ପୀଡିତା ଏବଂ ତାଙ୍କ ପରିବାରଙ୍କ ବୟାନ ରେକର୍ଡ କରିବା ପରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଡାକ୍ତରୀ ମାଇନା ପାଇଁ ପଠାଇଥିବା ଜଣାପଡିଛି ।
ଯଥାଶୀଘ୍ର ଅଭିଯୁକ୍ତକୁ ଧରି ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ପରିବାର ଲୋକେ ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ