ବାରିପଦା: ମହାପୁରୁଷଙ୍କ ଚିତ୍ର ଆଙ୍କି ଜନ୍ମବାର୍ଷିକୀରେ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳୀ ଦେଉଥିବା ଜିଲ୍ଲା ବେତନଟୀ ବ୍ଲକ ଆଗଡା ଗ୍ରାମର ଚିତ୍ରଶିଳ୍ପୀ ସମରେନ୍ଦ୍ର ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ନାଗା ବାବାଙ୍କ ମିଳନର ଅପୂର୍ବ ଦୃଶ୍ୟକୁ ଗଛରେ ଆଙ୍କିଛନ୍ତି । ଗଛକୁ କୌଣସି ପ୍ରକାର କ୍ଷତି ନପହଞ୍ଚାଇ ଏହି ଚିତ୍ରକଳା ଜାରି ରଖିଛନ୍ତି ।
ଦୀର୍ଘ 9 ମାସ ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଶ୍ରୀମନ୍ଦିର ଖୋଲିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ, ତେବେ ଶ୍ରୀମନ୍ଦିର ଖୋଲିଲା ପରେ ବ୍ୟାକୁଳ ଭକ୍ତ ନାଗା ବାବା ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ଧସେଇ ପ୍ରବେଶ କରିଥିବା ଦେଖିବାକୁ ମିଳିଥିଲା । ଭକ୍ତ ଓ ଭଗବାନଙ୍କ ମିଳନକୁ ନେଇ ଗଛରେ ମହାପ୍ରଭୁ ଜଗନ୍ନାଥ ଓ ନାଗାବାବାଙ୍କ ଅବିକଳ ଚିତ୍ର ଆଙ୍କିଛନ୍ତି ଚିତ୍ରଶିଳ୍ପୀ ସମରେନ୍ଦ୍ର ।
ଗଛକୁ କ୍ଷତି ନପହଞ୍ଚାଇ ଗଛ ବକଳରେ ମହାପ୍ରଭୁ ଜଗନ୍ନାଥ, ଶ୍ରୀମନ୍ଦିର ଓ ନାଗାବାବାଙ୍କ ଅବିକଳ ଚିତ୍ର ଆଙ୍କିଛନ୍ତି ଶିଳ୍ପୀ ସମରେନ୍ଦ୍ର। ତେବେ ସେ ଗଛରେ ଚିତ୍ର ଆଙ୍କିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ମଧ୍ୟ ଦେଇଛନ୍ତି । ପୂର୍ବରୁ ଅନେକ ମହାପୁରୁଷଙ୍କ ଅବିକଳ ଚିତ୍ର ଆଙ୍କି ଚର୍ଚ୍ଚାରେ ରହିଛନ୍ତି ସମରେନ୍ଦ୍ର।
ସବୁବେଳେ ଗଠନମୂଳକ ଚିନ୍ତାଧାରା ନେଇ ଅଭିନବ ପଦକ୍ଷେପ ଗ୍ରହଣ କରୁଥିବା ସମରେନ୍ଦ୍ରଙ୍କ ଏହି କଳାକୃତି ପାଇଁ ଅଞ୍ଚଳର ଲୋକମାନେ ତାଙ୍କୁ ବେଶ୍ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ମୁଦ୍ରଣକଳାରେ ସମରେନ୍ଦ୍ର ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଏକ ଘରୋଇ କଲେଜରେ ଅଧ୍ୟାପନା କରୁଥିବା ବେଳେ ଲକଡାଉନ ପାଇଁ ଏବେ ସେ ଗ୍ରାମରେ ସମୟ କାଟୁଛନ୍ତି ।
ମୟୂରଭଞ୍ଜର ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ