ରାଇରଙ୍ଗପୁର: ବଜ୍ରାଘାତରେ ଚାଲିଗଲା ଜଣଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଧୀନ ଜୁଡାମ୍ବ ଗ୍ରାମରେ ।
ସୂଚନାନୁଯାୟୀ ଦଶରା ସିଂକୁ ଜୁଡାମ୍ବ ଗ୍ରାମକୁ ଦଶାହ କର୍ମରେ ଯୋଗ ଦେବାକୁ ଆସିଥିଲେ । ଏହି ସମୟରେ କରଞ୍ଜିଆ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଓ ଘଡଘଡି ହେବାରୁ ଦଶରା ଗାଁର ରଥିଆ ପୂର୍ତ୍ତିଙ୍କ ଘରେ ରହିଯାଇଥିଲେ । ତେବେ ଘରର ଏକ କୋଠରୀ ଭିତରେ ରଥିଆ ପୂର୍ତ୍ତି ତାଙ୍କ ସ୍ତ୍ରୀ ବାଲମା ଓ ଦଶରା ସିଂକୁ ବସିଥିବା ବେଳେ ହଠାତ ଘର ଉପରକୁ ବଜ୍ରପାତ ହୋଇଥିଲା । ଫଳରେ ଘର ଭିତରେ ଆଶ୍ରୟ ନେଇଥିବା ଦଶରାର ମୃତ୍ୟୁ ଘଟିଥିଲା । ସେହିପରି ବଜ୍ରପାତରେ ରଥିଆ ପୂର୍ତ୍ତି ଓ ତାଙ୍କର ସ୍ତ୍ରୀ ବାଲମା ସେଠାରେ ସଂଜ୍ଞାହୀନ ଅବସ୍ଥାରେ ପଡି ରହିଥିଲେ । ପରେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ସୁନିନ୍ଦା ଗ୍ରାମର ଦଶରା ସିଂକୁଙ୍କୁ ମୃତ ଘୋଷଣା କରିଥିବା ବେଳେ ରଥିଆ ପୂର୍ତ୍ତି ତାଙ୍କ ସ୍ତ୍ରୀ ବାଲମାଙ୍କ ଚିକିତ୍ସା ଜାରି ରହିଛି ।
ତେବେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବଡ ବଡ ଗଛ ସବୁ ରାସ୍ତାରେ ପଡି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ