ମାଲକାନଗିରି: ମାଓ ସଙ୍ଗଠନରେ କେନ୍ଦ୍ରୀୟ କମିଟିର ସଚିବ ରାମାନ୍ନାଙ୍କ ତ୍ୟାଗକୁ ନେଇ ଏକ ଡକ୍ୟୁମେଣ୍ଟାରୀ ଜାରି କରିଛି ମାଓବାଦୀ ସଙ୍ଗଠନ । ଯାହାକି ଏବେ ଭାଇରାଲ ହେବାରେ ଲାଗିଛି ।
ଗତ ଡିସେମ୍ବର ୮ ତାରିଖ ଦିନ ମାଓନେତା ରାମାନ୍ନାଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ସେ ସମୟରେ ମାଓ ସଙ୍ଗଠନ ରାମାନ୍ନାଙ୍କ ମୃତ୍ୟୁକୁ ନେଇ ପ୍ରେସ ବିବୃତ୍ତି ଦେବା ସହ ତାଙ୍କ ଅନ୍ତେଷ୍ଟିକ୍ରିୟାର ଭିଡିଓ ମଧ୍ୟ ଭାଇରାଲ କରିଥିଲେ । ତେବେ ରାମାନ୍ନାଙ୍କ ନାମରେ ୫ଟି ରାଜ୍ୟରେ ମୋଟ ଦେଢ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପୁରସ୍କାର ରାଶି ରହିଥିବା ବେଳେ ଏହି ୫ଟି ରାଜ୍ୟରେ ସେ ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଥିଲା । ଶହ ଶହ କେସରେ ରାମାନ୍ନା ଜଡିତ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ତେବେ ଆଜି ରାମାନ୍ନାଙ୍କ ତ୍ୟାଗ ଏବଂ ଆଦର୍ଶକୁ ନେଇ ମାଓବାଦୀ ସଙ୍ଗଠନ ଏକ ଡକ୍ୟୁମେଣ୍ଟାରୀ ଭାଇରାଲ କରିଛି । ଭିଡିଓଟି 7 ମିନିଟର ଥିବାବେଳେ ତେଲେଗୁ ଭାଷାରେ ଗୀତ ବୋଲାଯାଇଛି । ଉକ୍ତ ଡକ୍ୟୁମେଣ୍ଟାରୀରେ ରାମାନ୍ନା କିପରି ଜଙ୍ଗଲରେ ମାଓ ସଙ୍ଗଠନର ପତାକାକୁ ଧରି ବୁଲୁଛନ୍ତି ଏବଂ ଶହ ଶହ ମାଓବାଦୀଙ୍କୁ ଏକତ୍ର କରି ସଙ୍ଗଠନର ଆଦର୍ଶ ଓ ଲକ୍ଷ୍ୟ ବିଷୟରେ ବୁଝାଉଛନ୍ତି ସେ ନେଇ ଚିତ୍ରଣ କରାଯାଇଛି । ଏପରିକି ଶହୀଦ ଦିବସରେ ସେ ନିଜେ ବିଭିନ୍ନ ଗ୍ରାମରେ ଉପସ୍ଥିତ ରହି ଶହୀଦ ଦିବସକୁ ପାଳନ କରିବା ସହ ଏହାର ମହତ୍ତ୍ବ ବିଷୟରେ ମଧ୍ୟ ବୁଝାଇଛନ୍ତି । ଭିଡିଓରେ ଥିବା ଗୀତରେ କୁହାଯାଇଛି ଯେ, ନିଆଁ ଭଳି ହୋଇ ତମେ ଆମମାନଙ୍କୁ ସାହାରା ଦେଇଥିଲ । ତୁମର ତ୍ୟାଗ ଓ କମ୍ୟୁନିଜମକୁ ପ୍ରଣାମ କରୁଛୁ । ମା' ଓ ମାଟି ପାଇଁ ତୁମର ଚିର ତ୍ୟାଗ ସବୁଦିନ ପାଇଁ ଅମର ରହିବ ।
ପ୍ରକାଶ ଥାଉ କି, ଗତ କିଛି ଦିନ ତଳେ ମାଓ ସଙ୍ଗଠନ ପୋଲିସ ସହ ଏନକାଉଣ୍ଟର ଡକ୍ୟୁମେଣ୍ଟାରୀ ଭାଇରାଲ କରିଥିଲେ । ଏବେ ରାମାନ୍ନାଙ୍କ ମୃତ୍ୟୁର 9 ମାସ ପରେ ତାଙ୍କ ତ୍ୟାଗ ଓ ବଳିଦାନକୁ ନେଇ ଡକ୍ୟୁମେଣ୍ଟାରୀ ଜାରି କରାଯାଇଛି । ଏହା ପରେ ମାଓ ସଙ୍ଗଠନର ଗତିବିଧି ଉପରେ ନିଜର ରଖିଛି ପୋଲିସ । କୌଣସି ଜଣେ ଦକ୍ଷ କ୍ୟାମେରା ମ୍ୟାନଙ୍କ ଦ୍ବାରା ଏହି ଡକ୍ୟୁମେଣ୍ଟାରୀ ଦ୍ବାରା କରାଯାଇଥିବା ଅନୁମାନ କରାଯାଉଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ