ମାଲକାନଗିରି: ଲାଲ କରିଡରରେ ଭୂତାଣୁ ଆତଙ୍କ । କୋରୋନାରେ କିଛି ମାଓବାଦୀଙ୍କ ମୃତ୍ୟୁ ପରେ ମାଓ ଶିବିରରେ ଖେଳିଯାଇଛି ଭୟର ବାତାବରଣ । କୋରୋନା ପୀଡିତ ମାଓ ଦମ୍ପତି କରିଛନ୍ତି ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର SP ଙ୍କ ନିକଟରେ ମାଓ ଦମ୍ପତି ନିଜକୁ ସମର୍ପଣ କରିଛନ୍ତି ।
ଉତ୍ତର ବସ୍ତର ମାଓ ସଙ୍ଗଠନର ସଦସ୍ୟ ମାଓ ନେତା ଆର୍ଜୁନ ତାତି ଏବଂ ମାଓ ନେତ୍ରୀ ଲକ୍ଷ୍ମୀ ପଦା ଆତ୍ମସମର୍ପଣ କରିଛନ୍ତି । ଏହି ଦୁଇ ଜଣଙ୍କ କୋରୋନା ପଜେଟିଭ ଅଛନ୍ତି । ଆତ୍ମସମର୍ପଣ ପରେ କାଙ୍କେର କୋଭିଡ ମେଡିକାଲରେ ପୋଲିସ ଭର୍ତ୍ତି କରି ସେମାନଙ୍କ ଚିକିତ୍ସା କରାଉଛି । ବସ୍ତର IG ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ବାନ ଦେବା ପରେ ଏହି ଦୁଇ ମାଓବାଦୀ ପ୍ରଥମ କରି କୋରୋନା ପୀଡିତ ଦମ୍ପତି ଭାବେ ଆତ୍ମସମର୍ପଣ କରିଛନ୍ତି ।
ଦୁଇ ଜଣ ମାଓ ସଙ୍ଗଠନ ରେ କିଛିଦିନ ହେବ ଅସୁସ୍ଥ ହୋଇ ଜଙ୍ଗଲ ମଧ୍ୟରେ ଘୁରି ବୁଲୁଥିଲେ । ଗୁରୁବାର ଆତ୍ମସମର୍ପଣ କରିଛନ୍ତି । ପୋଲିସ ଆଗରେ ଆତ୍ମସମର୍ପଣ କରିବା ପରେ ସେମାନଙ୍କୁ ମେଡିକାଲ ଟେଷ୍ଟିଂରେ କୋରନା ପଜିଟିଭି ଚିହ୍ନଟ ହୋଇଥିଲେ । ତେବେ ବର୍ତ୍ତମାନ ସେମାନଙ୍କୁ ସମସ୍ତ ଚିକିତ୍ସା ମାଗଣାରେ ଦିଆଯାଉଛି ।
ସୁସ୍ଥ ହେବା ପରେ ମାଓ ସମ୍ପର୍କିତ ଅଧିକ ତଥ୍ୟ ପୋଲିସ ପଚରା ଉଚରା କରିବ ବୋଲି ଜଣାପଡିଛି । ମାଓ ଦମ୍ପତି ଶୀଘ୍ର ସୁସ୍ଥ ହେବା ପାଇଁ ବସ୍ତର IG କାମନା କରିଛନ୍ତି । କୋରନା କିମ୍ବା ଅନ୍ୟ କୌଣସି ରୋଗରେ ପୀଡ଼ିତ ମାଓବାଦୀ ପୋଲିସ ପାଖରେ ଆତ୍ମସମର୍ପଣ କରନ୍ତୁ, ସେମାନଙ୍କୁ ପୋଲିସ ସବୁ ପ୍ରକାର ସହାୟତା ଯୋଗାଇଦେଵ ବୋଲି ବସ୍ତର IG ସୁନ୍ଦରରାଜ ପି ସୂଚନା ଦେଇଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ