କୋରାପୁଟ: ଜୟପୁରର ଚିତ୍ରଶିଳ୍ପୀ ସୁଧାକର ପ୍ରଧାନ । ସୁଧାକର ଠିକ୍ ଭାବେ ଶୁଣିପାରନ୍ତି ନାହିଁ ଓ ସ୍ପଷ୍ଟ ଭାବେ ଶବ୍ଦ ଉଚ୍ଚାରଣ ମଧ୍ୟ କରିପାରନ୍ତି ନାହିଁ । ହେଲେ କଥା କୁହେ ତାଙ୍କ ହାତର କଳା । ସେ ମୁହଁ ଦେଖି କେଇ ମିନିଟ୍ ମଧ୍ୟରେ ଆଙ୍କି ଦେଇପାରନ୍ତି ଅବିକଳ ପ୍ରତିଛବି । ଅଲୋଡା କାଗଜକୁ ରଙ୍ଗତୂଳୀରେ ଦେଇପାରନ୍ତି ଜୀବନ୍ୟାସ ଏବଂ ସୋଲରେ ଗଢି ଦେଇପାରନ୍ତି ଜୀବଜନ୍ତୁ । ତାଙ୍କ ଘରର ପ୍ରତିଟି କୋଣ ଅନୁକୋଣରେ ପ୍ରତିଫଳିତ ହୁଏ ତାଙ୍କର ନିଖୁଣ କଳାକୃତି । ଫାଇନ ଆର୍ଟ ହେଉକି ପଟ୍ଟଚିତ୍ର ଅଙ୍କନ, ସବୁଥିରେ ମାହିର ଜୟପୁରର ଏହି ଦିବ୍ୟାଙ୍ଗ ଚିତ୍ରଶିଳ୍ପୀ । ନିଜର ଅଦମ୍ୟ ଇଚ୍ଛାଶକ୍ତି ଏବଂ ଦୃଢ ମନୋବଳ ପାଇଁ ସୁଧାକର ଜଣେ ଦିବ୍ୟାଙ୍ଗ ହେଲେ ବି ସମାଜରେ ସକ୍ଷମ ହୋଇପାରିଛନ୍ତି ।
ଜୟପୁର ସହର ଉପକଣ୍ଠ ବାରିଣୀପୁଟ ରାସ୍ତାକଡରେ ରହିଛି ସୁଧାକର ପ୍ରଧାନଙ୍କ ଛୋଟିଆ ଘର । ଘର ତ ନୁହେଁ ଚିତ୍ରକଳାର ଭଣ୍ଡାର କହିଲେ ଚଳେ । ପରିବାରର ଆର୍ଥିକ ସମସ୍ୟା ଯୋଗୁଁ ସେ କେବଳ ଦଶମ ଶ୍ରେଣୀ ଯାଏଁ ପାଠ ପଢିପାରି ଥିଲେ । ପିଲାଟି ବେଳୁ ସୁଧାକରଙ୍କ ଚିତ୍ରକଳା ପ୍ରତି ବେଶ୍ ରୁଚି ଥିଲା । ତେଣୁ ଚିତ୍ରଶିଳ୍ପୀ ହେବାର ସ୍ବପ୍ନ ସାକାର କରିବାକୁ ସେ ପ୍ରଚେଷ୍ଟା ଆରମ୍ଭ କରିଥିଲେ । ଏହାପରେ ସୁଧାକର ଦିବ୍ୟାଙ୍ଗ କଳାକାରଙ୍କ ବିକାଶ ପାଇଁ ସରକାର ଯୋଗାଇଦେଉଥିବା ସୁବିଧା ସୁଯୋଗକୁ ସଠିକ୍ ମାର୍ଗରେ ପ୍ରୟୋଗ କରି ଭୁବନେଶ୍ୱର ଯାଇ ପଟ୍ଟଚିତ୍ର ତାଲିମ ନେଇଥିଲେ । ସେଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମାଟି, ସୋଲ ଓ ପଥର ଶିଳ୍ପର ତାଲିମ ନେଇ ଜୟପୁରକୁ ଫେରିଥିଲେ ।
ସେହି ଦିନଠାରୁ ଚିତ୍ରଶିଳ୍ପୀ ସୁଧାକର ଆଖପାଖ ଅଞ୍ଚଳର ଛୋଟ ଛୋଟ ପିଲାମାନଙ୍କୁ ବିଭିନ୍ନ ଚିତ୍ରକଳା ଶିକ୍ଷା ଦେଇଆସୁଛନ୍ତି । ଏହା ସଙ୍ଗେ ସଙ୍ଗେ ସେ ଯାନିଯାତ୍ରା ଓ ବାହାଘର ମଣ୍ଡପ ଆଦିରେ ଚିତ୍ରସଜ୍ଜା କାମ ମଧ୍ୟ କରନ୍ତି । ଏହି ଚିତ୍ରକଳାରୁ ସେ ଭଲ ଦୁଇ ପଇସା ରୋଜଗାର ମଧ୍ୟ କରନ୍ତି । ଜୀବନ ଜୀବିକା ପାଇଁ ଅଧିକ ସମୟ କାନ୍ଥବାଡରେ ଲେଖାଲେଖି ଓ ଚିତ୍ର ଆଙ୍କିବାରେ ବିତାଉଥିବା ଯୋଗୁଁ ନିଜ କଳାକୁ କେବଳ ନିଜ ମଧ୍ୟରେ ସୀମିତ ରଖିବାକୁ ବାଧ୍ୟ ହେଉଥିବା ସୁଧାକରଙ୍କ ପତ୍ନୀ ଜଣାଇଛନ୍ତି । ପିଲାଙ୍କୁ ତାଲିମ ଦେବା ପାଇଁ ସରକାରଙ୍କ ଦ୍ଵାରା ବ୍ୟବସ୍ଥା ଓ ସୁଯୋଗ ପ୍ରଦାନ କରାଗଲେ ଏବଂ ତାଙ୍କୁ କଳାକୁ ଉପଯୁକ୍ତ ସୁବିଧା ମିଳିପାରିଲେ କୋରାପୁଟର ନାଁ ରଖିବା ପାଇଁ ସେ ଦେଖିଥିବା ସ୍ବପ୍ନ ପୂରଣ ହୋଇପାରନ୍ତା ବୋଲି ତାଙ୍କ ପତ୍ନୀ କହିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ