ଭୁବନେଶ୍ବର: ଦେଶରେ ହେବ କି ଆଗୁଆ ନିର୍ବାଚନ ? ହଠାତ କେନ୍ଦ୍ର ଡାକିଛି ସ୍ବତନ୍ତ୍ର ଅଧିବେଶନ । ସେପ୍ଟେମ୍ବର 18 ରୁ ସ୍ବତନ୍ତ୍ର ଅଧିବେଶନ । 5 ଦିନିଆ ସ୍ବତନ୍ତ୍ର ଅଧିବେଶନକୁ ନେଇ ସାରା ଦେଶରେ ଚର୍ଚ୍ଚା । ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଡାକରା ହୋଇଥିବା ସ୍ବତନ୍ତ୍ର ଅଧିବେଶନ । ଅଧିବେଶନରେ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ବିଲ ଆସିପାରେ ବୋଲି ଚର୍ଚ୍ଚା ହେଉଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି କମିଟି । ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଥିବାବେଳେ ଆଗୁଆ ନିର୍ବାଚନ ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ ଥିବା କୁହାଯାଇଛି ।
ଏହାବି ପଢନ୍ତୁ- Parliament Special Session: କେନ୍ଦ୍ର ସରକାର ଆଣିପାରନ୍ତି ୱାନ ନେସନ ୱାନ ଇଲେକ୍ସନ ବିଲ
ଆସନ୍ତା ସେପ୍ଟେମ୍ବର 18ରୁ ବସିବ ସଂସଦର ସ୍ବତନ୍ତ୍ର ଅଧିବେଶନ । 5 ଦିନିଆ ଏହି ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି କେନ୍ଦ୍ର ସରକାର । ସଂସଦର ସ୍ବତନ୍ତ୍ର ଅଧିବେଶନକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅଚାନକ ସ୍ବତନ୍ତ୍ର ଅଧିବେଶନ ଡକାଯିବ ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ବଢ଼ାଇ ଦେଇଛି । ନଭେମ୍ବର - ଡିସେମ୍ବରରେ ହେବାକୁ ଥିବା 5 ରାଜ୍ୟର ନିର୍ବାଚନ ସହ ସାଧାରଣ ନିର୍ବାଚନକୁ ଓହ୍ଲାଇବାକୁ ମୋଦି ସରକାର ମନସ୍ଥ କରିଥିବା ଚର୍ଚ୍ଚା ହେଉଛି । ଏହାରି ଭିତରେ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ପାଇଁ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ଅଧ୍ୟକ୍ଷ ହୋଇଛନ୍ତି । ଏହି କମିଟି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବ । ଅଧିବେଶନରେ ଏକକ ନିର୍ବାଚନ ବିଲ ଆସିପାରେ ବୋଲି କୁହାଯାଉଛି ।
‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ ନେଇ ବିତର୍କ ଦୀର୍ଘଦିନ ହେଲା ହୋଇ ଆସୁଛି । ଏନେଇ ଚଳିତବର୍ଷ ଜାନୁଆରୀରେ ଆଇନ କମିଶନ ବିଭିନ୍ନ ରାଜନୈତିକ ଦଳଙ୍କୁ 6ଟି ପ୍ରଶ୍ନ ପଚାରି ଉତ୍ତର ମାଗିଥିଲେ । କେନ୍ଦ୍ର ସରକାର ଏହାକୁ ଲାଗୁ କରିବାକୁ ଚାହୁଁଥିବାବେଳେ ଆମ ଆଦମୀ ପାର୍ଟି ସମେତ ଅନେକ ରାଜନୈତିକ ଦଳ ଏହାକୁ ବିରୋଧ କରୁଛନ୍ତି । ସମ୍ବିଧାନର ଅନୁଚ୍ଛେଦ 85 ଅନୁସାରେ ସରକାର ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡାକିପାରିବେ । 2014 ମସିହାରେ କ୍ଷମତାକୁ ଆସିବା ପରଠାରୁ ମୋଦୀ ସରକାର ଦେଶରେ ଏକକ ନିର୍ବାଚନ କରିବାକୁ ଚାହୁଁଛନ୍ତି । ସମ୍ଭାବନା ଯଦି ସତ ହୁଏ, ତେବେ ଓଡ଼ିଶା ସରକାର ବି ଏକାସାଙ୍ଗରେ ବିଧାନସଭା ଭୋଟକୁ ଡେଇଁବାକୁ ପ୍ରସ୍ତୁତ ହୋଇ ବସିଛନ୍ତି । ଶାସକ ଦଳ ପୂରା ଦମରେ ଏଥିପାଇଁ ଦିନ ରାତି ଏକ କରି ଦେଇଛି । ତେବେ ଏଭଳି ଚର୍ଚ୍ଚା ଭିତରେ ଓଡ଼ିଶାରେ ଆରମ୍ଭ ହୋଇଛି ବୟାନ ବାଜି ।
କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ, ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ କରିବାରେ ଯଦି କିଛି ଅସୁବିଧା ନଥାଏ, ତାହାଲେ କରାଯାଇପାରିବ । କିନ୍ତୁ ବ୍ୟବସ୍ଥା ଅନୁଯାୟୀ 5 ବର୍ଷରେ ଥରେ ନିର୍ବାଚନ କରିବା ବାଧ୍ୟ । ଥରେ ନିର୍ବାଚନ ହେଲେ 5 ବର୍ଷ ଯାଏଁ ଗୃହ ଚାଲିବା କଥା । ତେବେ ବିଲ ନଆସିବା ପୂର୍ବରୁ ତାହା ଉପରେ ନିର୍ଦ୍ଦିଷ୍ଟ ମତାମତ ଦିଆଯାଇପାରିବ ନାହିଁ । ସେହିପରି ବିଜେପି ଆଗୁଆ ନିର୍ବାଚନ କରିବା ପାଇଁ ଚାହୁଁଛି । ଠିକ ସମୟରେ ନିର୍ବାଚନ ହେଲେ ପରାଜୟ ଭୟ ରହିଛି । ବିଜେପି ଓ ମୋଦିଙ୍କ ଲୋକପ୍ରିୟତା କମି କମି ଯାଉଛି । ବିଭିନ୍ନ ରାଜ୍ୟରୁ ଆସୁଥିବା ସର୍ଭେରୁ ମୋଦିଙ୍କର ଆଗ ପରି କ୍ରେଜ ନଥିବା ଜଣାପଡୁଛି । ସେଥିପାଇଁ ଭୟଭୀତ ହୋଇ ଆଗୁଆ ନିର୍ବାଚନ କରିବା ଲାଗି ଚାହୁଁଛନ୍ତି । ତେଣୁ ଉପାୟ ଖୋଜୁଛନ୍ତି ଯେ, କେମିତି ଆଗୁଆ ନିର୍ବାଚନ କରାଯାଇପାରିବ ।
ଏହାବି ପଢନ୍ତୁ- ବଢିଲା ଆଗୁଆ ନିର୍ବାଚନ ସମ୍ଭାବନା, 18ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ
ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି ଯେ, ଆଗୁଆ ନିର୍ବାଚନ ଓଡ଼ିଶାରେ ହେବନାହିଁ । ନିର୍ଦ୍ଧାରିତ ସମୟରେ ନିର୍ବାଚନ ହେବ । ଯଦି ଓଡ଼ିଶାରେ ସରକାର ଭାଙ୍ଗେ, ତେବେ ସୁନିଶ୍ଚିତ ରାଷ୍ଟ୍ରପତି ଶାସନ ଲାଗୁ ହେବ । ଓଡିଶା ସରକାର ମନ ଇଚ୍ଛା ନିର୍ବାଚନ କରିପାରିବେ ନାହିଁ । କେନ୍ଦ୍ରରେ ସ୍ବତନ୍ତ୍ର ଅଧିବେଶନ ଅଲଗା ଉଦେଶ୍ୟରେ ଡକା ଯାଉଛି । ତାହା ନିର୍ବାଚନ ଉଦେଶ୍ୟରେ ନୁହେଁ । ଆଗୁଆ ନିର୍ବାଚନ ପାଇଁ ସରକାର ଯାଉ ନାହାଁନ୍ତି । ବିଧାନସଭା ବିଳମ୍ବ ହୋଇଛି । କାମଚଳା ବଜେଟ ଆଣିବେ ।
ସେହିପରି ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର କହିଛନ୍ତି ଯେ, ଯେଉଁମାନେ ଦାୟିତ୍ଵରେ ଅଛନ୍ତି ସେ ଯଦି ନିଷ୍ପତ୍ତି ନେବେ ତେବେ ହୋଇପାରେ । ସେମିତି ଯଦି ଆଇନ ଆସିଯିବ, ତେବେ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ହେବ ଅସୁବିଧା କିଛି ନାହିଁ । ହଁ, ଏଥିରେ କିଛି ରାଜ୍ୟ କ୍ଷତିଗ୍ରସ୍ତ ହେବେ । ନଗଦ ଯେଉଁ ରାଜ୍ୟରେ ନିର୍ବାଚନ ହୋଇଛି ସେ ବିଧାନସଭା ଭାଙ୍ଗିଯିବ । ଆଉ ଥରେ ନିର୍ବାଚନ ହେବ । ଆମେ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟମାନଙ୍କ ଅପେକ୍ଷା ଆମେ ଭଲ ପ୍ରସ୍ତୁତ ଅଛୁ । ରାଜ୍ୟରେ ଆଗୁଆ ନିର୍ବାଚନ ବାବଦରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ଭଲ ମନ୍ଦ ସୁବିଧା ଅସୁବିଧା ବୁଝିକି ସେ କରିବେ । କିନ୍ତୁ ଆମେ ପ୍ରସ୍ତୁତ ଅଛୁ ।
ଇଟିଭି ଭାରତ, ଭୁବନେଶ୍ବର