ଭୁବନେଶ୍ବର: ଜାତୀୟସ୍ତରରେ ବିଜେପି ନେତୃତ୍ବାଧୀନ ଏନଡିଏ ବିରୋଧରେ ମିଳିତ ବିରୋଧୀ ଦଳ ୟୁପିଏକୁ ରି-ଲଞ୍ଚିଂ କରି ‘ଇଣ୍ଡିଆ’ରେ ରୂପାନ୍ତର କରିଛନ୍ତି । ଏହାସହ ଆଗାମୀ ଦିନରେ ଏକ ଶକ୍ତିଶାଳୀ ବିରୋଧୀ ମେଣ୍ଟ ଗଠନ ପାଇଁ ଯୋରଦାର ଉଦ୍ୟମ ଆରମ୍ଭ ହୋଇଛି । ଯାହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡିଛି । ଆଜି ପିସିସି ସଭାପତି ଶରତ ପଟ୍ଟନାଯକଙ୍କ ନେତୃ୍ତ୍ବରେ ଭୁବନେଶ୍ବରରେ ଏକାଠି ହୋଇଛନ୍ତି ଅଣ ବିଜେପି ଅଣ ବିଜେଡି ରାଜନୈତିକ ଦଳ । ଆଗାମୀ ଦିନରେ କିଭଳି ଓଡିଶାରେ ମଧ୍ୟ ବିଜେଡି ବିଜେପି ବିରୋଧରେ ମିଳିତ ବିରୋଧୀ ଦଳ ଲଢେଇ କରିବେ ସନେଇ ରଣନୀତି ପ୍ରସ୍ତୁତ ହେଉଛି ।
ଏହି ମିଳିତ ବୈଠକରେ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, ଦରଦାମ ବୃଦ୍ଧି, ବିଜୁଳି ସଙ୍କଟ, ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି, କୃଷି ଏବଂ କୃଷକଙ୍କ ସମସ୍ୟା, ବେକାରୀ ସମସ୍ୟା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ବିଭିନ୍ନ ସମସ୍ୟା ଦିଗରେ ଆଲୋଚନା ହୋଇଥିଲା । କିପରି ଆଗାମୀ ଦିନରେ ଜନ ବିରୋଧୀ ବିଜେଡି ଓ ବିଜେପି ବିରୋଧରେ ମିଳିତ ଭାବେ ଲଢ଼େଇ କରି ନିର୍ବାଚନରେ ଏହି ଜନ ବିରୋଧୀ ଦଳକୁ ପରାସ୍ତ କରାଯିବ ତାହାର ଆଲୋଚନା ହୋଇଛି । ଏଥିପାଇଁ ଏକତାର ସହ ଲଢେଇ କରିବା ପାଇଁ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଅଣ ବିଜେପି ଓ ଅଣ ବିଜେଡି ନେତାଙ୍କୁ ନେଇ କଂଗ୍ରେସର ବୈଠକ ହୋଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ହୋଟେଲ ବସିଥିଲା ବୈଠକ ।
ବୈଠକରେ ରାଜ୍ୟର 12ଟି ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଯୋଗ ଦେବାକୁ ନିମନ୍ତ୍ରଣ ହୋଇଥିଲା । କିନ୍ତୁ ଆରଜେଡି, ସିପିଆଇଏମ, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ସମତା କ୍ରାନ୍ତି ଦଳ, ଟିଏମସି, ସିପିଏମ, ଆପ ସହ ଆରପିଆଇ ଭଳି 9ଟି ରାଜନୈତିକ ଦଳ ସାମିଲ ହୋଇଥିଲେ ।ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ନେତୃତ୍ବରେ 9ଟି ରାଜନୈତିକ ଦଳ ମିଳିତ ଭାବେ ଅଗଷ୍ଟ ପ୍ରଥମ ସପ୍ତାହରେ ଭୁବନେଶ୍ବରରେ ଏକ ବିଶାଳ ଜନସମାବେଶ ଆୟୋଜିତ ହେବ ।
ଇଟିଭି ଭାରତ, ଭୁବନେଶ୍ବର