ETV Bharat / state

ପୁଣି ତେଜିଲା ଛାତ୍ର ସଂସଦ ନିର୍ବାଚନ ଦାବି; ୯ରେ ହାଲ୍ଲାବୋଲ ସମାବେଶ କରିବ ମୋ ଦଳ ଯୁବଛାତ୍ର ସଂଗଠନ - ମୋ ଦଳ ଯୁବଛାତ୍ର ସଂଗଠନ

ତେଜିଲା ଛାତ୍ର ସଂସଦ ନିର୍ବାଚନ ଦାବି । ୯ରେ ହାଲ୍ଲାବୋଲ ସମାବେଶ କରିବ ମୋ ଦଳ ଯୁବଛାତ୍ର ସଂଗଠନ । ପ୍ରେସ୍‌ମିଟ୍‌ରେ ସୂଚନା ଦେଲେ ଦଳର ସଭାପତି ମନୱର ଅଲ୍ଲୀ । ଅଧିକ ପଢ଼ନ୍ତୁ

୯ରେ ହାଲ୍ଲାବୋଲ ସମାବେଶ କରିବ ମୋ ଦଳ ଯୁବଛାତ୍ର ସଂଗଠନ
୯ରେ ହାଲ୍ଲାବୋଲ ସମାବେଶ କରିବ ମୋ ଦଳ ଯୁବଛାତ୍ର ସଂଗଠନ
author img

By ETV Bharat Odisha Team

Published : Nov 7, 2023, 10:07 PM IST

ଭୁବନେଶ୍ବର: ଛାତ୍ର ନିର୍ବାଚନକୁ ନେଇ ୯ ନଭେମ୍ବରରେ ହାଲ୍ଲାବୋଲ ସମାବେଶ କରିବ ମୋ ଦଳ ଯୁବଛାତ୍ର ସଂଗଠନ । ଯୁବ ନେତୃତ୍ବ ବିକାଶ ଯୁବ ନେତୃତ୍ବ ସମାବେଶ ନାରା ନେଇ ହାଲ୍ଲାବୋଲ ସମାବେଶ କରିବ ମୋ ଦଳ ଯୁବଛାତ୍ର ସଂଗଠନ । ବଂଶବାଦ ରାଜନୀତିକୁ ବିରୋଧ କରି କିଭଳି ଯୁବ ଓ ଛାତ୍ରଙ୍କ ସହଭାଗିତା ରାଜନୀତିରେ ବଢିବ ଏହି ଦାବିକୁ ନେଇ ମୋ ଦଳ ପକ୍ଷରୁ ଏହି ସମାବେଶ ହେଉଛି । ସାରା ଦୁନିଆରେ ଯେତେ ପରିବର୍ତ୍ତନ ହୋଇଛି, ସେଥିରେ ଯୁବ ଓ ଛାତ୍ରମାନେ ଆଗଧାଡ଼ିରେ ଛିଡ଼ାହୋଇ ନେତୃତ୍ବ ନେଇଛନ୍ତି ବୋଲି କହିଛନ୍ତି ସଂଗଠନର ସଭାପତି ମନୱର ଅଲ୍ଲୀ ।

ସେ କହିଛନ୍ତି, "ଦେଶରେ ଓ ଆମ ରାଜ୍ୟରେ ସ୍ଵାଧୀନତା ସଂଗ୍ରାମରେ ଯୁବ ଛାତ୍ରମାନଙ୍କର ବଳିଦାନ ସ୍ଵର୍ଣ୍ଣାଭ ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି । ସେହି ଐତିହାସିକ ଯୁବଛାତ୍ରମାନଙ୍କ ଦାୟାଦ ହିସାବରେ ଆମ କାମ ଆମକୁ ଆଗେଇନେବାକୁ ପଡ଼ିବ । ହେଲେ ଆଜି ଆମ ଦେଶ ଓ ରାଜ୍ୟର ଯୁବଛାତ୍ରମାନଙ୍କର ସବୁଠୁ ବଡ଼ ସଙ୍କଟ ହେଉଛି ସେମାନଙ୍କ ପାଇଁ ନା ଅଛି ଉଚିତ୍ ଶିକ୍ଷା ନା କର୍ମସଂସ୍ଥାନର କୌଣସି ସୁବ୍ୟବସ୍ଥା । ଦେଶର କୋଟି କୋଟି ବେକାର ଯୁବକ ଅସହାୟ ବେକାର ହୋଇ ରାଜରାସ୍ତାରେ ଘୂରି ବୁଲୁଛନ୍ତି । ବେକାରୀ ଯୁବକଙ୍କ ପାଇଁ ସରକାର କିନ୍ତୁ ନିଶା ସେବନ ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ମଦ, ଗଞ୍ଜେଇ, ଡ୍ରଗ୍ ଖାଇ ଯୁବ ସମାଜର ଅବସ୍ଥା ବେହାଲ । ମଦ ମାଂସ ନିଶା ଖାଅ, ବେସାହାରା ହୋଇ ରାଜରାସ୍ତାରେ ଘୂରି ବୁଲ । ଅତିବେଶିରେ ଶାସକ ଦଳଠାରୁ ଏସବୁ ମାଗଣାରେ ପାଇ ସେମାନଙ୍କ ପାଇଁ ଗୁଲାମୀ କର । ଏସବୁ ଯୁବକମାନେ ଏବେ ବିଜୁ ଯୁବ ବାହିନୀ ନାମରେ ପରିଚିତ । ଚାକିରୀ ବଦଳରେ ଖଣ୍ଡେ ଖଣ୍ଡେ ଧଳା ଗଞ୍ଜି ୫ ବର୍ଷରେ ପାଇ ଛାତି ଫୁଲେଇ ବୁଲୁଛନ୍ତି । ଏହି ବିଶାଳ ବେକାର ଯୁବ ବାହିନୀ ଆମ ରାଜନୈତିକ ଦଳର ଅସ୍ଥାୟୀ ସେନା । କିନ୍ତୁ ଏମାନେ ଜୀବନରେ କିଛି ହୋଇପାରିବେ ନାହିଁ, ସେଥିପାଇଁ ପରିବାରବାଦର ଷଡ଼ଯନ୍ତ୍ର ବ୍ୟବସ୍ଥିତ ଭାବେ କରିଦିଆଯାଇଛି । ବାପା ରାଜନେତା ମାନେ ତାର ଦାୟାଦ ବି ରାଜନେତା ହେବେ ।"

ଏହା ମଧ୍ୟ ପଢ଼ନ୍ତୁ...ହାଇକୋର୍ଟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ପ୍ରସଙ୍ଗ, ପ୍ରତିପକ୍ଷଙ୍କୁ ହାଇକୋର୍ଟଙ୍କ ନୋଟିସ

ସଂଗଠନର ସଭାପତି ମନୱର ଅଲ୍ଲୀ ଆହୁରି କହିଛନ୍ତି, "ଯେଉଁ ବିଜେଡି ଜନତା ଦଳ ନାମରେ କଂଗ୍ରେସ ପରିବାରବାଦକୁ ବିରୋଧ କରୁଥିଲା ଆଜି ସେହି ପରିବାରବାଦ ଓଡିଶା ରାଜନୀତିରେ ରୋଗରେ ଜଡ଼ଷଡ଼ । ବିଷ୍ଣୁ ଦାସ, ବିଷ୍ଣୁ ସେଠୀ, ପ୍ରଭାତ ବିଶ୍ବାଳ, ପ୍ରଭାତ ତ୍ରିପାଠୀ, ନବ ଦାସ ସମସ୍ତଙ୍କ ପୁଅଝିଅ ବିଧାନସଭାରେ ଆସନ ମଣ୍ଡନ କରିଛନ୍ତି । କିନ୍ତୁ ରାଜରାସ୍ତାଠୁ କଲେଜ କ୍ୟାମ୍ପସ ଯାଏଁ ଯେଉଁମାନେ ସାଧାରଣ ଲୋକଙ୍କ ପାଇଁ ଛାତ୍ରଙ୍କ ପାଇଁ ଲଢେଇ କରିବେ, ସେମାନଙ୍କର କ୍ଷମତାକୁ ଯିବାର ରାସ୍ତା ପୁରା ବନ୍ଦ । ଏମାନେ ଜୀବନରେ କେବେ ବି ବିଧାନସଭା, ଲୋକସଭା ମାଡ଼ିପାରିବେ ନାହିଁ । କାରଣ ବାବୁରାଜ ଓ ବଂଶବାଦ ଯୁବଛାତ୍ରମାନଙ୍କର ରାଜନୀତିରେ ନେତା ହେବାର ସୁନେଲି ସ୍ବପ୍ନକୁ ମାଟିରେ ମିଶାଇ ଦେଇଛି । ସଚିବାଳୟରୁ ଚାକିରୀ ଶେଷ ହେଉ ହେଉ ବିଧାନସଭା ମୋହ ବାବୁମାନଙ୍କୁ ପାଗଳ କରୁଛି । ଏଣୁ ବିରାଟ ଷଡ଼ଯନ୍ତ୍ର କରାଯାଇ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଦିଆଯାଇଛି । ଏମାନେ ଜାଣିଛନ୍ତି କ୍ୟାମ୍ପସରୁ ନୂଆ ଲଢ଼ୁଆ ନେତୃତ୍ବ ବାହାରିଲେ ଏମାନେ କେତେବେଳେ ରାଜପଥ ରାଜନୀତିକୁ ନିୟନ୍ତ୍ରଣ କରିଦେବେ । ଏଣୁ ମୁଳୁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି ନ୍ୟାୟରେ ଛାତ୍ର ରାଜନୀତିକୁ ବନ୍ଦ କରିଦିଆଯାଇଛି ।"

ତେବେ ଯଦି କ୍ୟାମ୍ପସ ରାଜନୀତିରେ ହିଂସାକାଣ୍ଡ ନିୟନ୍ତ୍ରଣ ହୋଇପାରୁନି ବୋଲି ନିର୍ବାଚନ ବନ୍ଦ ହେବ, ତେବେ ସାଧାରଣ ନିର୍ବାଚନ କାହିଁକି ବନ୍ଦ ହେବନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଯୁବଛାତ୍ରମାନଙ୍କ ପାଇଁ ନଭେମ୍ବର ୯ ତାରିଖରେ ହାଲ୍ଲାବୋଲ ସମାବେଶ କରି ଯୁବକଙ୍କୁ ବୁଝାଇବ ମୋ ଦଳ । ଏହାସହ ଯୁବ ଛାତ୍ରମାନେ ଏ ଷଡ଼ଯନ୍ତ୍ରକୁ ବୁଝନ୍ତୁ, ଜାଣନ୍ତୁ ଓ ‘ଯୁବ ନେତୃତ୍ବ ବିକାଶ ସମାବେଶ ଯୁବ ନେତୃତ୍ବ ବଞ୍ଚାଅ ସମାବେଶ’ରେ ହଜାର ହଜାର ସଂଖ୍ୟାରେ ସାମିଲ ହୁଅନ୍ତୁ ବୋଲି ସେ ଆହ୍ବାନ କରିଛନ୍ତି । ଏହା ଓଡ଼ିଶାରେ ଯୁବଛାତ୍ରମାନଙ୍କୁ ରାଜନୀତିରେ ବଞ୍ଚିବା ଓ ବଢାଇବା ପାଇଁ ମୁକ୍ତିର ବାଟ ଦେଖାଇବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମୋ ଦଳ ଯୁବ ଛାତ୍ର ସଂଗଠନର ସଭାପତି ମନୱର ଅଲ୍ଲୀ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଭୁବନେଶ୍ବର ସଭାପତି ଅମିତ ଜେନାଙ୍କ ସମେତ ଯଶୋବନ୍ତ ଦାସ, ସ୍ମୃତିରଞ୍ଜନ ସାମଲ, ଧର୍ମେନ୍ଦ୍ର ପ୍ରଧାନ, ହିତେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.