ଭୁବନେଶ୍ଵର: ଦିନକୁ ଦିନ ସାଇବର ଠକେଇ ଘଟଣା ବଢ଼ିବାରେ ଲାଗିଛି । ଭିନ୍ନ ଭିନ୍ନ କାଇଦା ଆପଣାଇ ସାଧାରଣ ଲୋକଙ୍କୁ ଠକୁଛନ୍ତି ସାଇବର ଠକ । ତେବେ ଏହି ଠକାମୀ ବିଷୟରେ ସଚେତନତା ଅଭାବରୁ ଅନେକ ଲୋକ ଠକମାନଙ୍କର ଜାଲରେ ଫସି ଯାଉଛନ୍ତି। ଅଶିକ୍ଷିତମାନେ ଦୂରର କଥା ଶିକ୍ଷିତ ଯୁବପିଢ଼ିମାନେ ମଧ୍ୟ ଏହାର ଶିକାର ହେଇଛନ୍ତି । ତେବେ ରାଜ୍ୟରେ ବଢ଼ୁଥିବା ସାଇବର ଠକାମୀକୁ ରୋକିବା ପାଇଁ ଓଡ଼ିଶା ପୋଲିସ ଆଗଭର ହୋଇଛି । ଏନେଇ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ରାଜ୍ୟର ସମସ୍ତ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି ଓଡ଼ିଶା ପୋଲିସ । ତେବେ ଅକ୍ଟୋବର 2 ତାରିଖ ଗାନ୍ଧୀଜୟନ୍ତୀ ଅବସରରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସାଇବର ସୁରକ୍ଷା ସଚେତନ ଅଭିଯାନ ରଥକୁ ଆରମ୍ଭ କରାଯାଇଛି ।
ତେବେ ଏହି ଅବସରରେ ଭୁବନେଶ୍ଵର ମାଷ୍ଟର କ୍ୟାଣ୍ଟିନ ଠାରେ ନାଟକ ମାଧ୍ୟମରେ ସାଇବର ସୁରକ୍ଷା ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡି଼ଶା ପୋଲିସ ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମିଳିତ ଅଭିଯାନରେ ଏହି ସାଇବର ସୁରକ୍ଷା ସଚେତନା କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସାଇବର ସଚେତନ ରଥ ଗଡିବା ସହ ଗୀତ ଓ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯାଇଥିଲା। ଏହି ସଚେତନତା ରଥ ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ପାଇଁ ଗଡିଥିବା ବେଳେ ଭୁବନେଶ୍ୱରରେ ଥିବା ସବୁ ଥାନା ଅଞ୍ଚଳରେ ସଚେତନତା କରିବ। ତେବେ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିଥିବା ବେଳେ ୧୫ ଦିନ ଧରି ଓଡ଼ିଶାର ସବୁ ଜିଲ୍ଲାକୁ ଯାଇ ଲୋକ ମାନଙ୍କୁ ସଚେତନ କରିବ ସାଇବର ସଚେତନ ରଥ । କାର୍ଯ୍ୟକ୍ରମରେ ପୋଲିସ ଡିସିପି ପ୍ରତୀକ ସିଂ, ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ, ଭୁବନେଶ୍ବର ସମସ୍ତ ଥାନାର ଥାନା ଅଧିକାରୀ ଉପସ୍ଥିତ ଥିଲେ। ଭୁବନେଶ୍ୱର ମେୟରଙ୍କ ସମସ୍ତ ବିଧାୟକ ଓ କମିସନର ମଧ୍ୟ ଉପସ୍ଥିତ ରହିଥିଲେ। ସଚେତନା କାର୍ଯ୍ୟକ୍ରମ ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲିବା ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ।
ସୂଚନା ଅନୁସାରେ, ଚାଇଲ୍ଡ ପର୍ଣ୍ଣୋଗ୍ରାଫି ସଂକ୍ରାନ୍ତୀୟ ୩୧୦ଟି ମାମଲା ୨୦୨୦ ମସିହାରେ ପଞ୍ଜିକୃତ ହୋଇଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ବଢ଼ି ୫୧୨, ୨୦୨୨ରେ ୬୨୦ ଏବଂ ୨୦୨୩ ମସିହାରେ ୪୧୯ଟି ମାମଲାର ସାମ୍ନାକୁ ଆସିଛି । ସେହିପରି ୨୦୨୧ ମସିହା ମେ ୨୮ରୁ ଡିସେମ୍ବର ପର୍ଯ୍ୟନ୍ତ ସାଇବର ଠକଙ୍କ ଦ୍ବାରା ଟଙ୍କା ଠକେଇର ଶିକାର ହୋଇଥିବା ନେଇ ୩ହଜାର ୪ଶହ ୨ଟି ଅଭିଯୋଗ ହୋଇଥିବା ବେଳେ ୩୧ ଲକ୍ଷ ୨୨ ହଜାର ଟଙ୍କା ଫେରସ୍ତ କରାଯାଇପାରିଥିଲା । ଏହାସହ ୨୦୨୨ ମସିହାରେ ଏସଂକ୍ରାନ୍ତୀୟ ୭ ହଜାର ୭ଶହ ମାମଲା ରୁଜୁ ହୋଇଥିବା ବେଳେ ୭୪ ଲକ୍ଷ ୪୬ ହଜାର ଟଙ୍କା ଫେରସ୍ତ ହୋଇଥିବା ବେଳେ ୨୦୨୩ରେ ଏହି ସଂଖ୍ୟା ବଢ଼ି ୮ ହଜାର ୪ଶହ ମାମଲା ରୁଜୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୭୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଫେରସ୍ତ କରାଇ ଆଣିବାରେ ଓଡ଼ିଶା ସାଇବର ପୋଲିସ ସଫଳ ହୋଇଛି। ।
ଏହା ମଧ୍ୟ ପଢ଼ନ୍ତୁ...କେନ୍ଦୁଝରରେ ଗଡ଼ିଲା ସାଇବର ସୁରକ୍ଷା ଅଭିଯାନ ରଥ
ବୌଦ୍ଧରେ ଗଡିଲା ସଚେତନତା ରଥ: ସେହିପରି ବୌଦ୍ଧ ଜିଲ୍ଲାରେ ମଧ୍ୟ ଏନେଇ ସାଇବର ସୁରକ୍ଷା ସଚେତନତା ରଥ ଗଡ଼ିଛି । ଜିଲ୍ଲାର ମର୍ଜାକୁଦ ସେତୁଛକ ନିକଟରେ ସାଇବର ସୁରକ୍ଷା ପାଇଁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ, ଏସପି, ଅତିରିକ୍ତ ଜିଲ୍ଲାପାଳ, ବରିଷ୍ଠ ପୋଲିସ ଅଧିକାରୀ, ବ୍ୟାଙ୍କ ଅଧିକାରୀ ପ୍ରମୁଖ ଯୋଗ ଦେଇ ସାଇବର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ।
ଝାରସୁଗୁଡାରେ ଜିଲ୍ଲାପାଳ ଦେଖାଇଲେ ପତକା: ଅନ୍ୟପକ୍ଷେ ଝାରସୁଗୁଡ଼ା ଜିଲ୍ଲା ମନମୋହନ ସ୍କୁଲ ଠାରେ ସାଇବର ସଚେତନ ରଥ ଶୁଭାରମ୍ଭ କରାଯାଇଛି । ଏଥିରେ ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲୀ ସୁନିଲ ନରୱାଣେ, ଝାରସୁଗୁଡ଼ା ଏସପି ସ୍ମିତ ପରମାର, ଉନ୍ନୟନ ଅଧିକାରୀ ପ୍ରବିର ନାୟକ, ଜିଲ୍ଲା ଓକିଲ ସଂଘର ସଭାପତି ତ୍ରିନାଥ ଗୁଆଲ, ବରିଷ୍ଠ ନାଗରିକ ସଂଘର ସଭାପତି ଟହଲୁ ସାହୁଙ୍କ ସହ ଅନେକ ପ୍ରଶାସନିକ ଅଧିକାରୀ ଓ ବୁଦ୍ଧିଜୀବୀ ଏହି ସ୍ବାଗତ ସମାରୋହରେ ଉପସ୍ଥିତ ଥିଲେ । ଏହି ଅଭିଯାନ ଦ୍ଵାରା ସଚେତନତା ରଥ ଜିଲ୍ଲାର ପ୍ରତ୍ୟେକ ଗ୍ରାମପଞ୍ଚାୟତ, ବିଦ୍ୟାଳୟ, ମହାବିଦ୍ୟାଳୟକୁ ଯାଇ ସାଇବର ଅପରାଧ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ସହିତ ସଚେତନ କରାଇବ। ତେବେ ସଚେତନତା ଅଭିଯାନ ପ୍ରତି ଜନସାଧରଣଙ୍କ ଦୃଷ୍ଟି ଆକର୍ଷଣ କରିବା ବିଭିନ୍ନ ପ୍ରତିଯୋଗିତା ମଧ୍ୟ କରାଯିବ।
ମାଲକାନଗିରିରେ ଏସପି କଲେ ଶୁଭାରମ୍ଭ: ମାଲକାନଗିରିରେ ମଧ୍ୟ ସାଇବର ସଚେତନତା କାର୍ଯ୍ୟକ୍ରମ ମାଲକାନଗିରି ଏସପି ନୀତିଶ୍ ୱାଦୱାନିଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଛି । ଶିଶୁ ନିର୍ଯାତନା, ବ୍ୟାଙ୍କ ଠକେଇ, ଏଟିଏମ ଠକେଇ, ବ୍ୟାଙ୍କ ଫ୍ରଡ ଭଳି ସଙ୍ଗୀନ ଅପରାଧକୁ ରୋକିବା ପାଇଁ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ରଥ ଗଡ଼ିଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ତପନ ଚରଣ ରଥ, ଏସଡିପିଓ ସଚିନ୍ ପଟିଲ, ଏସଡିଜିଏମ୍ ରୁଦ୍ର ପ୍ରସାଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଡିଏଫଓ ପ୍ରତାପ କୋଟାପାଲି, ବରିଷ୍ଠ ଚିକିତ୍ସା ଅଧିକାରୀ ଅନୀଲ କୁମାର ମିଶ୍ର ସମେତ ଜିଲ୍ଲା ପ୍ରଶାସନ ଅନ୍ୟାନ୍ୟ ଅଧିକାରୀ, ଜିଲ୍ଲା ପୋଲିସର ଅଧିକାରୀ, ବ୍ୟାଙ୍କ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ରହିଥିଲେ ।