ଖୋର୍ଦ୍ଧା : ଅନାଥ ଶିଶୁଙ୍କୁ ମିଳିଲା ନୂଆ ପରିଚୟ । ଶେଷରେ ଆପଣାଇ ନେଲା ଶିଶୁ ସୁରକ୍ଷା ବିଭାଗ ( District child protection department) । ତିନି ଭଉଣୀଙ୍କର ଦାୟିତ୍ବ ନେଲା ଶିଶୁ ସୁରକ୍ଷା ବିଭାଗ । ଖୋର୍ଦ୍ଧା ଜିଲ୍ଳା ବେଗୁନିଆ ବ୍ଲକ ପୋଡାଡିହ ପଞ୍ଚାୟତ ନିଳକଣ୍ଠପୁର ଗ୍ରାମରେ ବାପା ମାଆଙ୍କ ମୃତ୍ଯୁବରଣ ପରେ ଅସହାୟ ଅବସ୍ଥାରେ ତିନି ଭାଇ ଭଉଣୀଙ୍କୁ ନେଇ ରହୁଥିଲେ ପୁଷ୍ପଲତା ନାୟକ ।
ବାପାମାଆ ଛେଉଣ୍ଡ ତିନି ଭାଇ ଭଉଣୀ ଅଭାବ ଅନଟନରେ ରହିଥିଲେ । ନା ଖାଇବାକୁ ଥିଲା ଦାନା ନା ମୁଣ୍ଡ ଗୁଞ୍ଜିବାକୁ ଘର । ଦାଦା ଖୁଡିଙ୍କ ସହ ଗ୍ରାମବାସୀଙ୍କ ସହଯୋଗରେ ନାବାଳିକା ପୁଷ୍ପଲତା ଓ ତାଙ୍କ ତିନି ଭାଇ ଭଉଣୀ ଦିନିଆରୀ ନୀଳକଣ୍ଠପୁର ଆଦିବାସୀ ସାହିରେ ରହୁଥିଲେ । ଏହିଖବର 'ଇଟିଭି ଭାରତ'ରେ ପ୍ରସାରିତ ହେବା ପରେ ତତ୍ପର ହୋଇ ଉଠିଥିଲା ଶିଶୁ ସୁରକ୍ଷା ବିଭାଗ । ଆଜି ଖୋର୍ଦ୍ଧା ଶିଶୁ ସୁରକ୍ଷା ୟୁନିଟର ସଦସ୍ଯ ପୁଷ୍ପଲତାଙ୍କ ଘରେ ପହଞ୍ଚି ଅସହାୟ ଅବସ୍ଥାରେ ଥିବା ତିନି ଭଉଣୀଙ୍କୁ ନିଜ ସାଙ୍ଗରେ ନେଇଥିବା ବେଳେ ଛୋଟ ପୁଅକୁ ଦାଦା ଖୁଡିଙ୍କ ଅନୁରୋଧ କ୍ରମେ ତାଙ୍କ ପାଖରେ ଛାଡି ଦେଇଥିଲେ ।
ଏହାମଧ୍ୟ ପଢ଼ନ୍ତ.ଇଟିଭି ଭାରତ ପ୍ରଭାବ: 4 ଅସହାୟ ଭାଇଭଉଣୀଙ୍କ ଦାୟିତ୍ୱ ନେବ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ
କିପରି ତିନି ଭଉଣୀ ଭଲ ପାଠ ପଢିବେ ତାହା ସହ ରହିବା ଖାଇବା କରିବେ ସେନେଇ ଶିଶୁ ସୁରକ୍ଷା ୟୁନିଟର ସଦସ୍ଯ ତାଙ୍କୁ ନିଜ ସାଙ୍ଗ ନେଇ ଖୋର୍ଦ୍ଧାରେ ଥିବା ଚାଇଲ୍ଡ ଲାଇନକୁ ନେଉଥିବା କହିଛନ୍ତି । ସୂଚନାଯୋଗ୍ୟ, ପୋଡାଡିହ ପଞ୍ଚାୟତ ନୀଳକଣ୍ଠପୁରର ପୁଷ୍ପଲତା ନାୟକ ବାପାମାଆଙ୍କ ମୃତ୍ୟୁ ପରେ ପରିବାରର ବୋଝ ମୁଣ୍ଡାଇଥିଲେ ।
ଏହାମଧ୍ୟ ପଢ଼ନ୍ତୁ. ବାପା ମାଆଙ୍କୁ ହରାଇବା ପରେ ଭାଇଭଉଣୀଙ୍କ ସାହାରା ପୁଷ୍ପଲତା, ଦୁଃଖରେ ବିତୁଛି ଜୀବନ
ସୂଚନା ଅନୁଯାୟୀ ୨୦୧୬ ମସିହାରେ ହଠାତ୍ ପୁଷ୍ପଲତାଙ୍କ ଘରେ ନିଆଁ ଲାଗି ସବୁକିଛି ଉଜୁଡି ଯାଇଥିଲା । ଏହି ଅଗ୍ନିକାଣ୍ଡରେ ବାପାମାଆ ଆରପାରିକୁ ଚାଲି ଯାଇଥିଲେ । ଆଉ ନିଆଁର ଆଁରେ ଘରଦ୍ବାର ମଧ୍ୟ ପୋଡି ପାଉଁଶ ହୋଇଯାଇଥିଲା । ଏବେ ଯାହା କିଛି ରହିଛି ତାକୁ ସାଉଁଟି ଏମାନଙ୍କ ଜୀବନ ବିତୁଛି । ପରିବାର ଘରଦ୍ୱାର ନଥିବା ବେଳେ ପୁଷ୍ପଲତା ଅଧାରୁ ପାଠ ଛାଡିଦେଇଥିଲେ ।
ପୁଷ୍ପଲତାଙ୍କ ସାନ ଭଉଣୀ ଝିଲି ନାୟକ ଆର୍ଥିକ ଅଭାବରୁ ଗତବର୍ଷ ଠାରୁ ପାଠରେ ଡୋରି ବାନ୍ଧିଥିଲେ । ହେଲେ ତାଙ୍କର ଏବେବି ପାଠ ପଢ଼ିବା ପାଇଁ ଇଚ୍ଛା ଅଛି । ସେହିଭଳି ଅନ୍ୟ ଦୁଇ ଭାଇ ଭଉଣୀ ଗାଁ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଛନ୍ତି । ସରକାରୀ ସୁବିଧା କହିଲେ ଚାରି ଭାଇ ଭଉଣୀଙ୍କୁ ମିଳୁଛି ୧୫ କିଲୋ ଚାଉଳ । ଏପର୍ଯ୍ୟନ୍ତ ଭାଇର ନାମ ରାସନକାର୍ଡରେ ଅନ୍ତର୍ଭୁକ୍ତ ହୋଇନଥିବା ବେଳେ କାର୍ଡରେ ନାମ ସଂଯୋଗ ଓ ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି । ଏହି ସମୟରେ ଶିଶୁ ସୁରକ୍ଷା ବିଭାଗ ତିନି ଭଉଣୀଙ୍କର ଦାୟିତ୍ବ ନେଇଛି ।
ଇଟିଭି ଭାରତ, ଖୋର୍ଦ୍ଧା