ଭୁବନେଶ୍ବର: ରାଜ୍ୟରେ ପୁଣି ଉପର ମୁହାଁ କୋରନା ସଂକ୍ରମଣ । ଏନେଇ ସଂକ୍ରମଣ ରୋକିବାକୁ ସ୍ବାସ୍ଥ୍ୟ ବିଭାଗର ତତ୍ପରତା । ହୋମ ଆଇସୋଲେସନରେ ଥିବା ରୋଗୀଙ୍କ ଉପରେ ତୀକ୍ଷ୍ନ ନଜର ରଖିବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ। ଏଥିସହ ରୋଗୀଙ୍କୁ ପ୍ରୋଟୋକଲ କଡ଼ାକଡ଼ି ପାଳନ କରିବାକୁ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ଚଳିତ ଲହରରେ ବର୍ତ୍ତମାନ ସୁଦ୍ଧା ଦୈନିକ ସଂକ୍ରମଣ ୨୦୦ ରୁ ୩୦୦ ଭିତରେ ରହୁଛି। ଗତ ୨୪ ଘଣ୍ଟାରେ ୨୬୮ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସକ୍ରିୟ ରୋଗୀ ସଂଖ୍ୟା ୧୬୭୦। ମାତ୍ର ସେମାନଙ୍କ ମଧ୍ୟରୁ କେବଳ ୩୩ ଜଣ ସଂକ୍ରମିତ ଡାକ୍ତରଖାନାରେ ଅଛନ୍ତି। ତେବେ ୯୮ ପ୍ରତିଶତ ରୋଗୀ ଘରେ ଅଛନ୍ତି। ଯେହେତୁ ଅଧିକାଂଶ କୋଭିଡ ରୋଗୀ ଘରେ ରହୁଛନ୍ତି, ସେମାନଙ୍କ ଉପରେ ତୀକ୍ଷ୍ନ ନଜର ରଖିବାକୁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଘରେ ଥିବା ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯିବ। ଯାହାର ଆବଶ୍ୟକ ପଡ଼ିବ, ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ। ଏହା ଦ୍ବାରା ରାଜ୍ୟରେ ସଂକ୍ରମଣ ବେଶ ରୋକା ଯାଇପାରିବ। ଏବେ ରାଜ୍ୟରେ କୋଭିଡରେ ମୃତ୍ୟୁ ହୋଇଥିବା ୩ ଜଣ ଯାକ ଗୁରୁତର କୋମରବିଡ ରୋଗୀ ଥିଲେ। ଖାଲି କୋଭିଡ ଯୋଗୁଁ କାହାର ମୃତ୍ୟୁ ହୋଇନି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।
ସୂଚନା ଅନୁଯାୟୀ, ରାଜ୍ୟରେ ଦୈନିକ 300 ସଂକ୍ରମଣ ରହୁଛି। ଗତକାଲି ରାଜ୍ୟରେ 308 ଜଣ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଆଜି ତାହା 268 ଜଣ ଚିହ୍ନଟ ହୋଇଛନ୍ତି। ଏପଟେ ଏପ୍ରିଲ 5 ତାରିଖ ଠାରୁ ଆଜି ପର୍ଯ୍ୟନ୍ତ 3 ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଇଛି। ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟର ସ୍ଥିତି ଭଲ ରହିଛି। ଲକ୍ଷଣ ଦେଖାଗଲେ ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ।
ସେହିପରି ହସ୍ପିଟାଲରେ ବେଡ ପ୍ରସ୍ତୁତ ରଖିବା, ଭେଣ୍ଟିଲେଟର, ଅକ୍ସିଜେନ, ଆଇସିୟୁ ବେଡ଼ , ଟେଷ୍ଟ କୀଟ, ଆଦି ସ୍ଥିତି ଅନୁଧ୍ୟାନ କରାଯାଇଛି। ସମସ୍ତ ଜିଲ୍ଲାରେ ଜିଲ୍ଲପାଳଙ୍କ ତତ୍ତ୍ଵାବଧାନରେ ଏହି ସମସ୍ତ ସମୀକ୍ଷା କରାଯାଇଛି। ଟେଷ୍ଟ, ଟ୍ରାକିଙ୍ଗ, ଟୀକାକରଣ, ଟ୍ରିଟମେଣ୍ଟ, କୋଭିଡ ଆପ୍ରୋପ୍ରିଏଟ ବିହେଭରକୁ ନେଇ ରାଜ୍ୟରେ ବହୁତ କମ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଯେଉଁମାନଙ୍କର ଲକ୍ଷଣ ଦେଖାଯାଉଛି ସେମାନେ ତୁରନ୍ତ ଆଇସୋଲେଟ ରୁହନ୍ତୁ। ଟେଷ୍ଟ କରାନ୍ତୁ। ଯିଏ କୋଭିଡ ପଜିଟିଭ ଚିହ୍ନଟ ହେଉଛନ୍ତି ସେମାନଙ୍କ ସହ ମିଳାମିଶା ଯେଉଁମାନେ କରୁଛନ୍ତି ସେମାନେ ମଧ୍ୟ ଟେଷ୍ଟ କରିବା ସହ ଆଇସୋଲେଟ ରହିବା ଆବଶ୍ୟକ। ସାଧାରଣ ଜନତାଙ୍କ ନିକଟରେ ଆହୁରି ସଚେତନତା ବଢ଼ାଇବାକୁ ପଡ଼ିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।
ଇଟିଭି ଭାରତ, ଭୁବନେଶ୍ବର