ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପାଇଁ ଓଡ଼ିଆ ଚାଷୀ ପିଏମ୍ କିଷାନରୁ ବଞ୍ଚିତ ହୋଇଥିବା ଅଭିଯୋଗ କଲା ବିଜେପି । ରାଜ୍ୟର ୧୦, ୬୬୬ ଜଣ ଚାଷୀ ପିଏମ୍ କିଷାନ ଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି । ରାଜ୍ୟ ସରକାର ପିଏମ୍ କିଷାନର ବଳକା ହିତାଧିକାରୀମାନଙ୍କ ଚୟନ ପକ୍ରିୟା ଶୀଘ୍ର ଆରମ୍ଭ କରନ୍ତୁ ବୋଲି ଦାବି କରିଛନ୍ତି ବିଜେପି ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ । ରାଜ୍ୟ ସରକାର କାଳିଆ ଯୋଜନାରେ ୧୦ ହଜାର ଦେବାକୁ କହି ଏବେ ୪ ହଜାର ଦେଉଛନ୍ତି । ତେଣୁ ରାଜ୍ୟ ସରକାର ଓଡ଼ିଶାର ଚାଷୀଙ୍କୁ ଭଣ୍ଡେଇବାରୁ ନିବୃତ ରୁହନ୍ତୁ ବୋଲି କହିଛନ୍ତି ବିରଞ୍ଚି ।
ବିରଞ୍ଚି କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧିର ୧୪ ତମ କିସ୍ତି ପ୍ରଦାନ କରିଛନ୍ତି । ଦେଶର ୮ କୋଟି ୫୦ ଲକ୍ଷ ଚାଷୀ ତଥା ଓଡ଼ିଶାର ୩୦ ଲକ୍ଷ ୬ ହଜାର ୭୯୨ ଚାଷୀ ଏହାଦ୍ବାରା ଉପକୃତ ହୋଇଛନ୍ତି । ମୋଦି ସରକାରଙ୍କ ପକ୍ଷରୁ ଗତ ୨୦୧୮ ମସିହାରୁ ପିଏମ୍ କିଷାନ ସମ୍ମାନନିଧି ଘୋଷଣା କରାଯାଇଥିଲା । ସେବେଠାରୁ ନିରନ୍ତର ଅବଧିରେ ୬ ହଜାର ଟଙ୍କା ଲେଖାଏଁ ବାର୍ଷିକ କୃଷକଙ୍କ ପାଖରେ ପହଞ୍ଚୁଛି । ୨୦୧୮ ଡିସେମ୍ବର ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀରେ କାଳିଆ ଯୋଜନା ଘୋଷଣା କରିଥିଲେ । କହିଥିଲେ ସେ ଯେତେଦିନ ପର୍ଯ୍ୟନ୍ତ ଅଛନ୍ତି କୌଣସି ଶକ୍ତି ନାହିଁ ଚାଷୀମାନଙ୍କୁ କାଳିଆ ଯୋଜନାରେ ୧୦ ହଜାର ଟଙ୍କା ଦେବାକୁ ଅଟକାଇ ଦେବ । ଏବେର ସ୍ଥିତିକୁ ଦେଖିଲେ ସ୍ପଷ୍ଟ ଯେ, ୨୦୧୯ ନିର୍ବାଚନ ସରିବା ପରେ ରାଜ୍ୟ ସରକାର ଓଡ଼ିଶାର ଚାଷୀଙ୍କୁ ଭଣ୍ଡେଇଛନ୍ତି । ରାଜ୍ୟ ସରକାରଙ୍କ ପାଇଁ ଓଡ଼ିଆ ଚାଷୀ ପିଏମ୍ କିଷାନରୁ ବଞ୍ଚିତ ।"
ଏହା ମଧ୍ୟ ପଢ଼ନ୍ତୁ...ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର ପ୍ରତିଷ୍ଠା ହେବା ଏକ ବଡ ପଦକ୍ଷେପ: ମନମୋହନ ସାମଲ
ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟ ସରକାର ହିତାଧିକାରୀ ଚୟନ କରିବା କଥା, କିନ୍ତୁ ତାହା ଠିକ ଢଙ୍ଗରେ କଲେନାହିଁ । ରାଜ୍ୟ ସରକାର କେତେବେଳେ ହିତାଧିକାରୀ ସଂଖ୍ୟା ବଢ଼ାଉଛନ୍ତି ତ ପୁଣି କମାଉଛନ୍ତି । ପୁଣି ଟଙ୍କା ଫେରାଇବାକୁ ପ୍ରଚାର କରୁଛନ୍ତି । ରାଜ୍ୟ ସରକାର ଚାଷୀମାନଙ୍କୁ ୧୦ ହଜାର ଟଙ୍କା ଦେବେ କହି ତାହା ଏବେ ୪ ହଜାରରେ ପହଞ୍ଚିଛନ୍ତି । ଦୁଇ ଦୁଇ କିସ୍ତିରେ ଟଙ୍କା ଦେଉଛନ୍ତି ପୁଣି ତାହାର ଠିକ ନାହିଁ କି ଠିକଣା ନାହିଁ । ରାଜ୍ୟ ସରକାର ଏଭଳି କାର୍ଯ୍ୟ ଚାଷୀମାରଣ ନୀତିକୁ ବୁଝାଉଛି । ପିଏମ୍ କିଷାନର ହିତାଧିକାରୀଙ୍କୁ ଚୟନ କରିବା ରାଜ୍ୟ ସରକାରଙ୍କର ଦାୟିତ୍ବ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୧୦,୬୬୬ ଜଣ କେୱାଇସି ଅପ୍ଡେଟ୍ ନକରିଥିବା କାରଣରୁ ପିଏମ୍ କିଷାନ ଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି । ଗୋଟିଏ ଗୋଟିଏ ଆକାଉଣ୍ଟ ଏକାଧିକ ବ୍ୟକ୍ତିଙ୍କ ନାମରେ ଥିବାରୁ କେନ୍ଦ୍ର ତାକୁ ସଂଶୋଧନ କରିବା ପାଇଁ ରାଜ୍ୟକୁ ଫେରାଇ ଦେଇଥିଲା । ରାଜ୍ୟ ସରକାର ନୀତିକୁ ସୁଧାରନ୍ତୁ । ପିଏମ୍ କିଷାନର ବଳକା ହିତାଧିକାରୀମାନଙ୍କ ଚୟନ ପକ୍ରିୟା ଶୀଘ୍ର ଆରମ୍ଭ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦିଅନ୍ତୁ । କାଳିଆ ଯୋଜନାରେ ଦେଉଥିବା ୪ ହଜାର ଟଙ୍କାକୁ ୧୦ ହଜାର କରାନ୍ତୁ । ୨୩ ବର୍ଷର ରାଜ୍ୟ ସରକାର ଏପର୍ଯ୍ୟନ୍ତ ଚାଷୀଙ୍କ ସଂଖ୍ୟା ଆକଳନ କରିନାହାନ୍ତି । ଭାଗ ଚାଷୀ ଓ ଭୂମିହୀନଙ୍କ ତାଲିକା ବି ନାହିଁ ।" ତେବେ ହିତାଧିକାରୀ ସଂଖ୍ୟା ସ୍ଥିର ନକରି କେଉଁ ଆଧାରରେ ଯୋଜନା ପ୍ରସ୍ତୁତ ହେଉଛି ସବୁଠୁ ଆଶ୍ଚର୍ଯ୍ୟର କଥା ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର