ଭୁବନେଶ୍ବର: ରାଜ୍ୟରେ ଦେଖା ଦେଲାଣି ଗ୍ରୀଷ୍ମ ପ୍ରବାହ । ଏବେ ଠାରୁ ଅସହ୍ୟ ଦେଲାଣି ତାତି । ଖରାଦାଉରେ ଅସ୍ତବ୍ୟସ୍ତ ରାଜ୍ୟବାସୀ । ଏଣୁ ଖରା ଦିନିଆ ଜଳ ସମସ୍ୟା ସମାଧାନ ନିମନ୍ତେ ସରକାରଙ୍କ ପକ୍ଷରୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ଦେଖାଯାଇଛି । ତେଣୁ ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗତକାଲି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ବିଭିନ୍ନ ପଦକ୍ଷେପ ପାଇଁ ଆଲୋଚନା କରାଯାଇଛି । ଉଭୟ ଗ୍ରାମ୍ୟ ଓ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ସୁଗମ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସରକାର ।
ଖରାଦିନ ଆସିଲେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜଳ ସମସ୍ୟା ସୃଷ୍ଟି ହୁଏ । ଏହାକୁ ଦୃଷ୍ଟିରେ ରଖି ସତର୍କ ହୋଇଛନ୍ତି ରାଜ୍ୟ ସରକାର । ଗ୍ରାମାଞ୍ଚଳରେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ନଳକୂପ ମରାମତି କରିଯିବ । ମରାମତି ଯନ୍ତ୍ର କ୍ରୟ ନିମନ୍ତେ କମିଟି ଗଠନ ହେବ । ଜଳ ଯୋଗାଣ ଉତ୍ସ ଯାଞ୍ଚ, ଭ୍ରାମ୍ୟମାଣ ଟିମ୍ ମାଧ୍ୟମରେ ଜଳ ଯୋଗାଣ ପ୍ରକ୍ରିୟା ତ୍ବରାନ୍ବତ କରାଯିବ । ଜଳକ୍ଲିଷ୍ଟ ଅଞ୍ଚଳରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ବିଭାଗଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିଭଳି ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଜଳ ଯୋଗାଣକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା, ସକାଳ ୮ରୁ ସଂଧ୍ୟା ୮ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ଲକରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାନୀୟ ଜଳ ସଂକ୍ରାନ୍ତୀୟ ସମସ୍ତ ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ସହରାଞ୍ଚଳରେ ମଧ୍ୟ ଖରାଦିନିଆ ପାନୀୟ ଜଳଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ପକ୍ରିୟା ଆରମ୍ଭ ହୋଇଛି ।
ସମସ୍ତ ୧୧୫ଟି ସହରାଞ୍ଚଳରେ ପାନୀୟଜଳ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜଳକ୍ଲିଷ୍ଟ ଅଞ୍ଚଳରେ ପ୍ରାୟ ୩ ହଜାର ପି.ଭି.ସି ଟ୍ୟାଙ୍କ ବସାଯାଇ ୨୨୫ଟି ଟ୍ୟାଙ୍କର ମାଧ୍ୟମରେ ନିୟମିତ ଭାବେ ଜଳ ଯୋଗାଣ କରାଯିବ । ଏ ସଂପର୍କରେ ଗୃହ ଓ ନଗର ବିଭାଗ ପକ୍ଷରୁ ବୈଠକରେ ସୂଚନା ଦିଆଯାଇଛି । ସହରାଞ୍ଚଳରେ ନିୟୋଜିତ ୭୫୬ ଜଣ ଜଳସାଥିଙ୍କ ମାଧ୍ୟମରେ ପାନୀୟଜଳ ସଂପର୍କିତ ବିଭିନ୍ନ ଅଭିଯୋଗ ଗ୍ରହଣ ଏବଂ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ବିଭାଗ ପକ୍ଷରୁ ଖୋଲାଯିବ । ଦୈନିକ ପ୍ରାୟ ଦେଢ଼ ଲକ୍ଷ ଘରକୁ ୯୭ ଲକ୍ଷ ମିଲିୟନ ଲିଟର ଜଳ ଯୋଗାଣ କରାଯିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର