ଭୁବନେଶ୍ବର: ଗର୍ଭପାତ ନିଷ୍ପତ୍ତି ପାଇଁ ରାଜ୍ୟରେ ଗଠନ ହେବ ଆଉ 11ଟି ମେଡିକାଲ ବୋର୍ଡ । ପୂର୍ବରୁ ଗର୍ଭଧାରଣର 24 ସପ୍ତାହ ପରେ ଗର୍ଭପାତ ସଂକ୍ରାନ୍ତରେ ନିଷ୍ପତ୍ତି ପାଇଁ କେବଳ କଟକ ଏସସିବି ମେଡିକାଲରେ ଗୋଟିଏ ବୋର୍ଡ ରହିଥିଲା । ଏହି ବ୍ୟବସ୍ଥାକୁ ସରଳ କରିବା ପାଇଁ ଆଉ 11ଟି ବୋର୍ଡ ପ୍ରତିଷ୍ଠା କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । MTP(Medical Termination Pregnancy) ଅଧିନିୟମ ଅନୁଯାୟୀ, ରାଜ୍ୟରେ ଏହି ମେଡିଆଲ୍ ବୋର୍ଡ ସଂଖ୍ୟା 12କୁ ବୃଦ୍ଧି ପାଇବ ।
![ଗର୍ଭପାତ ନିଷ୍ପତ୍ତି ପାଇଁ ଆଉ ୧୧ଟି ମେଡିକାଲ ବୋର୍ଡ](https://etvbharatimages.akamaized.net/etvbharat/prod-images/od-bbsr-07-mtp-pergancy-board-medical-college-7206049_22122022215117_2212f_1671726077_613.jpg)
ଏନେଇ ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ କହିଛନ୍ତି ଯେ, ''ଗର୍ଭଧାରଣର 24 ସପ୍ତାହ ପରେ ଗର୍ଭପାତ ଅନୁମତି କିମ୍ବା ଅସ୍ୱୀକାର କରିବା ପାଇଁ କଟକ ଏସସିବି ମେଡିକାଲରେ ଗୋଟିଏ ମେଡିକାଲ ବୋର୍ଡ ଗଠନ କରାଯାଇଥିଲା । ରାଜ୍ୟର ଯେକୌଣସି ସ୍ଥାନରେ ଏହି ଘଟଣା ଥିଲେ ତାହା ଏସସିବି ମେଡିକାଲ ବୋର୍ଡକୁ ପଠାଯାଉଥିଲା । ଫଳରେ ରାଜ୍ୟବ୍ୟାପୀ ସବୁ ମାମଲାର ନିଦ୍ଦିଷ୍ଟ ସମୟରେ ବିଚାର କରିବା ଗୋଟିଏ ମେଡିକାଲ ବୋର୍ଡ ପାଇଁ କଷ୍ଟସାଧ୍ୟ ଥିଲା । ତେଣୁ ଏଥିପାଇଁ ଏକାଧିକ ମେଡିକାଲ ବୋର୍ଡର ଆବଶ୍ୟକତା ରହିଛି । ଏବେ ଗର୍ଭପାତ ସଂକ୍ରାନ୍ତରେ ନିଷ୍ପତ୍ତି ପାଇଁ ରାଜ୍ୟରେ ଆଉ 11ଟି ମେଡିକାଲ ବୋର୍ଡ କାର୍ଯ୍ୟକ୍ଷମ ହେବ ।
ଏହାମଧ୍ୟ ପଢନ୍ତୁ: AIIMS ଦେଲା ନୂଆ ଜୀବନ, ଧାନକଟା ମେସିନରେ କଟିଥିଲା ଯୁବତୀଙ୍କ ହାତ
ଗର୍ଭବତୀ ମହିଳାଙ୍କ ପାଇଁ ମେଡିକାଲ୍ ଟର୍ମିନେସନ୍ (ସଂଶୋଧନ) ଅଧିନିୟମ, 2021 ଏବଂ ଗର୍ଭବତୀ ମହିଳାଙ୍କ ପାଇଁ MTP ପ୍ରକ୍ରିୟାକୁ ସହଜ କରିବାର ଉଦ୍ଦେଶ୍ୟରେ (ଗର୍ଭଧାରଣର 24 ସପ୍ତାହରୁ ଅଧିକ) ରାଜ୍ୟ ସରକାର ଏକାଧିକ ମେଡିକାଲ ବୋର୍ଡ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ବ୍ୟତୀତ ବ୍ରହ୍ମପୁରର MKCG ମେଡିକାଲ କଲେଜ ଏବଂ ହସ୍ପିଟାଲ, ବୁର୍ଲାର VSS ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍, ବାଲେଶ୍ଵରର FM ମେଡିକାଲ କଲେଜ ଏବଂ ହସ୍ପିଟାଲ, ମୟୂରଭଞ୍ଜର PRM ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍, ବଲାଙ୍ଗୀରର BB ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍, କୋରାପୁଟର SLN ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍, ପୁରୀର ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍, କେନ୍ଦୁଝର ସରକାରୀ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍, ସୁନ୍ଦରଗଡ ସରକାର ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍, ଭୁବନେଶ୍ୱରର AIIMS, ଭୁବନେଶ୍ଵର ପିଜି ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଏବଂ ରିସର୍ଚ୍ଚରେ ଏହି ମେଡିକାଲ ବୋର୍ଡ ରହିବ ।
ଇଟିଭି ଭାରତ, ଭୁବନେଶ୍ବର