କେନ୍ଦୁଝର: ଟ୍ରକ୍-ବସ୍ ଧକ୍କାରେ 3ଟି ହାତୀ ମୃତ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବାଲିଜୋଡି ନିକଟରେ ୨୦ନଂ ଜାତୀୟ ରାଜପଥ ଉପରେ ଘଟିଛି ଦୁର୍ଘଟଣା । ବିଳମ୍ବିତ ରାତିରେ ଟ୍ରକ୍-ବସ ଧକ୍କାରେ 3ଟି ହାତୀର ମୃତ୍ୟୁ ଘଟିଛି ।
ଏହି ଘଟଣାରେ ଜଙ୍ଗଲ ବିଭାଗ ପ୍ରଥମେ ଗୋଟେ ଆଇରନ ବୋଝେଇ ଟ୍ରକସହ ଡ୍ରାଇଭରକୁ ଅଟକ ରଖିଥିଲେ । ଅପରାହ୍ନରେ ଅଧିକ ତଦନ୍ତ କଲା ପରେ କଟକରୁ ବଡ଼ବିଲ ଅଭିମୁଖେ ଯାଉଥିବା ଐରାବତ ନାମକ ବସ ପ୍ରଥମେ ଧକ୍କା ଦେଇଥିବା ସୂଚନା ମିଳିଛି ।
ବସ ଟି ବଡ଼ବିଲର ଏକ ଗ୍ୟାରେଜ ରୁ ଜଙ୍ଗଲ ବିଭାଗ ଅଧିକାରୀ ଧରିଥିବା ବେଳେ ଡ୍ରାଇଭରକୁ ଅଟକ ରଖି ଅଧିକ ପଚରା ଉଚୁରା ଚଲାଇ ଥିବା ଜଣାପଡ଼ିଛି । ମୃତ 3 ହାତୀକୁ ଜଙ୍ଗଲ ବିଭାଗ ବ୍ୟବଛେଦ ପରେ ନିକଟସ୍ଥ ଜଙ୍ଗଲରେ ପୋତି ଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ ଉକ୍ତ ବନାଞ୍ଚଳ ଅନ୍ତର୍ଗତ ଦେଇ ୨୦ ନମ୍ବର ଜାତୀୟ ରାଜପଥ ଯାଇଛି । ପ୍ରତିଦିନ ଏହି ରାସ୍ତାରେ ଶହ ଶହ ଆଇରନ ବୋଝେଇ ଟ୍ରକ ଯାତାୟତ କରେ । ସେହିପରି ଏହି ରାସ୍ତାରେ ହାତୀପଲ ମଧ୍ୟ ସବୁବେଳେ ଚଳପ୍ରଚଳ କରନ୍ତି । ତେବେ ବୁଧବାର ମଧ୍ୟ ବିଳମ୍ବିତ ରାତିରେ 10ଟି ହାତୀ ଥିବା ଏକ ହାତୀପଲ ଏନଏଚ 20 ରାସ୍ତା ପାର ହେଉଥିବା ସମୟରେ ଏକ ଆଇରନ ବୋଝେଇ ଟ୍ରକ ଉକ୍ତ ହାତୀପଲକୁ ଜୋରଦାର ଧକ୍କା ଦେଇଥିଲା ।
ଏହି ଦୁର୍ଘଟଣାରେ ଗୋଟେ ମାଈ ହାତୀ ସହ ଏକ ଛୁଆ ହାତୀର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ମାଈ ହାତୀ ରାସ୍ତା ଉପରେ ପଡି ଯନ୍ତ୍ରଣାରେ ଛଟପଟ ହେଉଥିଲା । ଦୁର୍ଘଟଣା ପରେ ଗୁରୁତର ହାତୀର ଗର୍ଜନ ଶୁଣି ନିକଟସ୍ଥ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗକୁ ଖବର ଦେଇଥିଲେ । ପରେ ଗୁରୁତର ହାତୀକୁ ଉଦ୍ଧାର କରି ପଶୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଗୁରୁତର ହାତୀର ମୃତ୍ୟୁ ଘଟିଲା । ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏକାଧିକ ଟ୍ରକ ଦୁର୍ଘଟଣା ଘଟାଇଥିବା ସନ୍ଦେହରେ ବିନବିଭାଗ ଗୋଟିଏ ଟ୍ରକକୁ ଜବତ କରିବା ସହ ଡ୍ରାଇଭର ଓ ହେଲପରକୁ ଅଟକ ରଖିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ