କେନ୍ଦ୍ରାପଡା: କ୍ରୀଡା ଓ କ୍ରୀଡାବିତଙ୍କ ବିକାଶ ପାଇଁ ସରକାରଙ୍କ ପୁଳାପୁଳା ଯୋଜନା । ସରକାରୀ ଓ ବେସରକାରୀ କ୍ଷେତ୍ରରେ କ୍ରୀଡାବିତଙ୍କୁ ନିଯୁକ୍ତି ମଧ୍ୟ ମିଳୁଛି । ହେଲେ ବାସ୍ତବରେ ସେ ଯୋଜନାର ଲାଭ ପାଇପାରୁନାହାନ୍ତି କ୍ରୀଡାବିତ । ଦିନେ ଫୁଟବଲ ପଡିଆରେ ଭାରତୀୟ ଜାତୀୟ ଦଳରେ ଫୁଟବଲ ଖେଳି (National level women football player) ଓଡ଼ିଶାର ନାଁକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ଚାହୁଁଥିବା ଖେଳାଳି ସହ ଆଜି ଭାଗ୍ୟ ଖେଳିଛି ଖେଳ । ଫୁଟବଲ ଫିଲଡ଼ରୁ ଇଟାଭାଟିରେ ଏବେ ଦିନ ମଜୁରିଆ ଭାବରେ ମୁଲ ଲାଗୁଛନ୍ତି ଓଡିଶା ପାଇଁ ଫୁଟବଲ ଖେଳିଥିବା କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ମହିଳା ଖେଳାଳି ସୁଜାତା ମଲ୍ଲିକ ।
ଆଳି ଅଞ୍ଚଳର ମିନି ଷ୍ଟାଡିୟମରୁ ଖେଳ ଆରମ୍ଭ କରି ରାଜ୍ୟ ଓ ଦେଶ ପାଇଁ ଫୁଟବଲ ଖେଳିଥିବା ସୁଜାତା ମଲ୍ଲିକ ଆଜି ପାଲଟିଛନ୍ତି ଦିନ ମଜୁରିଆ । ଆଳି ବ୍ଲକ ଦେଓମାଳ ଗାଁର ରାମଚନ୍ଦ୍ର ମଲିକଙ୍କ ଝିଅ ସୁଜାତା । ୧୧ ବର୍ଷ ବୟସରୁ ଫୁଟବଲ ଖେଳ ଆରମ୍ଭ କରିଥିଲେ । ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ କମ ବୟସରୁ ସୁଜାତାଙ୍କୁ ବିବାହ କରିବାକୁ ପଡିଥିଲା । ୨୦୦୫ ମସିହା ଠାରୁ ୨୦୧୫ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୦ ବର୍ଷ ଧରି ଓଡିଶା ସବଜୁନିୟର ଓ ଜୁନିୟର ଦଳ ପକ୍ଷରୁ ଜାତୀୟ ଚାମ୍ପିୟନସିପରେ ପ୍ରତିନିଧିତ୍ବ କରିଛନ୍ତି । ଜିଲ୍ଲା ସ୍ତରରେ ଫୁଟବଲ ଖେଳି ଅନେକ ନାଁ କରିଛନ୍ତି ସେ । କିନ୍ତୁ ଭାଗ୍ୟର ବିଡମ୍ବନା ପାଇଁ ମିଳି ପାରିନାହିଁ କୌଣସି ସରକାରୀ ଓ ବେସରକାରୀ ସହାୟତା । ଯେଉଁଥିପାଇଁ ନିଜର ପରିବାର ପୁଅର ଦେହ ଭଲକରିବା ପାଇଁ ଦୁର୍ଦ୍ଦିନରେ ପଡି ଇଟାଭାଟିରେ କାମ କରିବାକୁ ବାଧ୍ଯ ହୋଇଛନ୍ତି ମହିଳା ଫୁଟବଲ ଖେଳାଳୀ ସୁଜାତା । ଭଲ ଘର ଖଣ୍ଡିଏ ବି ସୁଜାତାଙ୍କ ପାଇଁ ସ୍ବପ୍ନ ହୋଇଛି । ରାତି ପାହିଲେ ସ୍ବାମୀଙ୍କ ସହ କୋଡି କୋଦାଳ ଧରି ବାହାରି ପଡନ୍ତି ସେ ।
ସ୍ପୋର୍ଟସ କୋଟାରେ ସୁଜାତାଙ୍କୁ ଚାକିରି ଟିଏ ଦେବାକୁ ଦାବି ହୋଇଛି । ସହାୟତା ପାଇଁ ଜିଲ୍ଲାପାଳଙ୍କୁ ଭେଟିବା ପରେ ଜିଲ୍ଲାପାଳ ସୁଜାତାଙ୍କ ପୁଅର ଚିକିତ୍ସା ପାଇଁ ରେଡକ୍ରସରୁ ୧୦ହଜାର ଟଙ୍କା ଯୋଗାଇଦେବା ପାଇଁ ବ୍ୟବସ୍ଥା କରିବା ସହ OLM ଅଧିକାରୀ ମାନଙ୍କୁ ସୁଜାତାଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି । ଆଗକୁ ତାଙ୍କୁ ଚାକିରି ପ୍ରଦାନ କରିବେ ବୋଲି କହିଛନ୍ତି ଜିଲ୍ଲାପାଳ ଅମ୍ରିତ ଋତୁରାଜ । କେବେ ସୁଜାତାଙ୍କ ଏହି ସମସ୍ୟାର ସମାଧାନ ହେଉଛି ତାହା ଦେଖିବାରୁ ବାକି ରହିଲା ।
ଜଣେ ଭଲ ଖେଳାଳି ହେବା ସହିତ ଦେଶ ପାଇଁ ସୁନାମ ଅର୍ଜନ କରିବେ ବୋଲିି ଭାବିଥିଲେ କିନ୍ତୁ ଆର୍ଥିକ ଅନାଟନ ଯୋଗୁ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସ୍ବାମୀ,ସ୍ତ୍ରୀ ଦୁହେଁ ଇଟାଭାଟି ଓ ଦିନ ମଜୁରିଆ ଭାବେ କାମ କରୁଛନ୍ତି । ୩ବର୍ଷର ପୁଅ ହୃଦରୋଗରେ ଆକ୍ରାନ୍ତ ହୋଇଥିବା କାରଣରୁ ଅର୍ଥ ଆବଶ୍ୟକତା ଓ ଖର୍ଚ୍ଚ ହେଉଥିବାରୁ ସୁଜାତାଙ୍କ ମନୋବଳକୁ ଦୁର୍ବଳ କରିଦେଇଛି । ସରକାର ଏହି ପ୍ରତିଭାବାନ ଖେଳାଳିଙ୍କୁ ପ୍ରୋତ୍ସାହନ ଦେଲେ ଗ୍ରାମାଞ୍ଚଳରୁ ବାହାରୁଥିବା ଏଭଳି ପ୍ରତିଭାବାନ ଖେଳାଳି ରାଜ୍ୟ, ଦେଶ ଓ ବିଦେଶରେ ସୁନାମ ଅର୍ଜନ କରିପାରନ୍ତେ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ