କେନ୍ଦ୍ରାପଡା: ଜିଲ୍ଲାରେ ସଫେଇର ବାସ୍ତବ ଚିତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସ୍ପଷ୍ଟ ବାରି ହୋଇପଡୁଛି । ଅଫିସର ଚତୁଃପାର୍ଶ୍ବରେ କୁଢ କୁଢ ମଇଳା । ଶୌଚାଳୟ ପାଇପ ଫାଟି ମଇଳା ପାଣି ବୋହିଯାଉଛି । ଟ୍ରାନ୍ସଫର୍ମରେ ଗଛ ମାଡି ଗଲାଣି । ଝରକା ବାହାରେ ମେଞ୍ଚା ମେଞ୍ଚା କାଗପତ୍ର ଉପରେ ଆବର୍ଜନା ସବୁ ପଡି ପୋକ ଚରିଗଲେଣି । ଏପଟେ ଯେଉଁଠି ଫଳକ ସେଠାରେ ପାନ ଛେପର ମୋଟା ଲେପ, ଆଉ ତା ସାଙ୍ଗେ ଗଡୁଛି ମଦ ବୋତଲ ।
ସେପଟେ, ସଫେଇ ନାଁରେ ସୋସିଆଲ ମିଡିଆରେ ବେଶ ପ୍ରଶଂସା ସାଉଁଟୁଛନ୍ତି ଜିଲ୍ଲାପ୍ରଶାସନ । ହେଲେ ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଅପରିଷ୍କାର ହୋଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।
ଏପରିକି ପ୍ରତିଦିନ ଅଭିଯୋଗ ଶୁଣାଣି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଶହ ଶହ ଲୋକେ ଆସୁଥିବା ବେଳେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜିଲ୍ଲାବାସୀ । ଏନେଇ ଜିଲ୍ଲାପାଳ ମଧ୍ୟ କୌଣସି ଦୃଷ୍ଟି ନେଉନଥିବା ନେଇ ମଧ୍ୟ ଅଭିଯୋଗ କରାଯାଇଛି । ଏ ସମ୍ପର୍କରେ ପଚାରିବାରୁ ସଫେଇ ହେବ ବୋଲି ଆଶ୍ବସନା ଦେଇଛନ୍ତି ଉପ-ଜିଲ୍ଲାପାଳ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ