କେନ୍ଦ୍ରାପଡା: ଗୋଟିଏ ପରିବାରରେ ଭିନ୍ନଭିନ୍ନ ଚାରୋଟି ଜାତିଗତ ପ୍ରମାଣପତ୍ର ନେଇ ତଦନ୍ତ ଆରମ୍ଭ ହୋଇଛି । ଆରଡିସିଙ୍କ ନିର୍ଦ୍ଦେଶରେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ,ରାମନଗର ଠାରେ କେନ୍ଦ୍ରାପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ମହାକାଳପଡା ତହସିଲଦାର ଏବଂ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ତଦନ୍ତ କରୁଛନ୍ତି ।
ସୂଚନାନୁଯାୟୀ,ମହାକାଳପଡା ବ୍ଲକ ରାମନଗର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧିନରେ ଏକ ପରିବାର ଭିନ୍ନଭିନ୍ନ ମସିହାରେ ବିଭିନ୍ନ ଜାତିଗତ ପ୍ରମାଣପତ୍ର ହାତେଇଥିବା ନେଇ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା । ରାମନଗର ପଞ୍ଚାୟତର ସୂଚନା ଅଧିକାର କର୍ମୀ ଅମିତାଭ ଚାନ୍ଦ ଏବଂ ସାଥି ସମାଜସେବୀ ଏନେଇ ଆରଡିସିଙ୍କ ନିକଟରେ ଅଭିଯୋଗ କରିଥିଲେ । ଏନେଇ ଉଭୟ ପକ୍ଷଙ୍କୁ ନୋଟିସ କରାଯାଇଥିଲା । କିନ୍ତୁ ଯେଉଁ ଆଠଜଣଙ୍କ ନାମରେ ଅଭିଯୋଗ ହୋଇଛି ସେମାନେ ସ୍ବାସ୍ଥ୍ୟବସ୍ଥା ସମସ୍ୟା ଦର୍ଶାଇ ତଦନ୍ତରେ ଉପସ୍ଥିତ ନଥିଲେ ।
ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରି ଉପରୋକ୍ତ ୮ ଜଣଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ ଏସଡିପିଓ ଏବଂ ତହସିଲଦାର । ତଦନ୍ତ ଚାଲିଥିବାରୁ କୌଣସି ମତାମତ ଦେବାପାଇଁ ମନା କରିଥିଲେ ମହାକାଳପଡା ତହସିଲଦାର ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ