ଭବାନୀପାଟଣା: ଓଡ଼ିଶାରେ ପ୍ରଥମ ଥର ପାଇଁ ଜାତୀୟ ଆଦିବାସୀ ଲୋକନୃତ୍ୟ ସଙ୍ଗୀତ ଉତ୍ସବ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଅନୁଷ୍ଠିତ ହେବ । ଆସନ୍ତା ଫେବ୍ରୁଆରୀ ୧୨ ତାରିଖରୁ ୧୪ ତାରିଖ ତିନି ଦିନ ଧରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କୋଲକାତା ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, ଓଡ଼ିଶା ଭାଷା ସଂସ୍କୃତି ବିଭାଗ ଓ ସଙ୍ଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ଏହି ଉତ୍ସବ ଆୟୋଜିତ ହେବ ।
ଏଥିରେ ଓଡିଶା, ଆସାମ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ସମେତ ୫ଟି ରାଜ୍ୟର ୧୫ଟି ସାଂସ୍କୃତିକ ଦଳ ଯୋଗଦେବେ। ଏଥିରେ ଓଡ଼ିଶାର ୩ଟି ଆଦିବାସୀ ଓ ୩ଟି ଲୋକନୃତ୍ୟ ଦଳ ଯୋଗ ଦେବେ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଥମ ଥର ପାଇଁ ଓଡ଼ିଶାର ଜୁନାଗଡ଼ ଠାରେ ଆୟୋଜନ ହେବାକୁ ଥିବା ଏହି ଜାତୀୟ ସ୍ତରର କାର୍ଯ୍ୟକ୍ରମକୁ ନେଇ ଜିଲ୍ଲା ପ୍ରଶାସନ, ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ପ୍ରମୁଖ ଉପସ୍ଥିତ ଥିଲେ।
କଳାହାଣ୍ଡିରୁ ଅଜିତ୍ କୁମାର ସିଂହ, ଇଟିଭି ଭାରତ