ଝାରସୁଗୁଡା: ନିଖୋଜ ଯୁବକ ଶେଖ୍ ଅଶରଫଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ କରିଛି ଝାରସୁଗୁଡା ଟାଉନ ଥାନା ପୋଲିସ । ଅଶରଫଙ୍କୁ ହତ୍ୟା କରାଯାଇ ପୋତି ଦିଆଯାଇଥିଲା । ସାମାନ୍ୟ ବଚସାକୁ କେନ୍ଦ୍ର କରି ଦୁର୍ଲଗା ଗ୍ରାମର ପ୍ରବୀର ମାକର ଓ ଶ୍ରୀକାନ୍ତ ପିଙ୍କ ନାମକ ଦୁଇ ଯୁବକ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ । ଏହାପରେ ଗାତ ଖୋଳି ମୃତଦେହ ପୋତି ଦେଇଥିଲେ । ଏହି ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଶୁକ୍ରବାର ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଅନୁଯାୟୀ, ଅଶରଫ୍(୩୦) ଗାଁ ଗାଁ ବୁଲି ଲୁହାଟିଣ ସଂଗ୍ରହ କରି ପେଟ ପୋଷୁଥିଲେ l ଦିନେ ସେ ଦୁର୍ଲଗା ଅଞ୍ଚଳରେ ଦୀର୍ଘ ଦିନ ହେଲା ବନ୍ଦ ପଡିଥିବା ଜେଏସପିଏଲ କାରଖାନା ନିକଟକୁ ଯାଇଥିଲେ । ଏହି ସମୟରେ ଦୁର୍ଲଗା ଗ୍ରାମର ପ୍ରବୀର ମାକର ଓ ଶ୍ରୀକାନ୍ତ ପିଙ୍କ ସହିତ କୌଣସି କାରଣବଶତଃ ତାଙ୍କର ବଚସା ହୋଇଥିଲା । ଏହାକୁ ନେଇ ସେମାନେ ଏକ ପଥରରେ ଅଶରଫଙ୍କୁ ଛେଚି ମାରିବା ପରେ ପୋତି ଦେଇଥିଲେ l
ଏହାମଧ୍ୟ ପଢନ୍ତୁ: ସୁବର୍ଣ୍ଣପୁରରେ ଟ୍ରକରେ ପିଟି ହୋଇ ଦୁଇ ଯୁବକଙ୍କ ମୃତ୍ୟୁ
ମୃତ ଅଶରପ୍ ପଶ୍ଚିମବଙ୍ଗ ରାଜ୍ୟର ମୂଳ ବାସିନ୍ଦା ହୋଇଥିବାବେଳେ, ଝାରସୁଗୁଡା ତଲିଭଟ୍ଟା କବରସ୍ଥାନ ପଡ଼ାରେ ରହୁଥିଲେ । ଗତ ୨୬ ତାରିଖରେ ତାଙ୍କର ନିଖୋଜ ସମ୍ପର୍କରେ ଝାରସୁଗୁଡା ସଦର ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ଗତ ୧୯ ତାରିଖରେ ଦୁର୍ଲଗା ଠାରେ ବନ୍ଦ ପଡିଥିବା ଜେଏସପିଏଲ କାରଖାନା ପରିସରରେ କୋଇଲା ଭିତରୁ ତାଙ୍କର ଗଳିତ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଅଶରଫଙ୍କ ପରିବାର ଲୋକେ ତାଙ୍କ ମୃତଦେହକୁ ଚିହ୍ନଟ କରିଥିଲେ । ଏନେଇ ଝାରସୁଗୁଡା ଟାଉନ ଥାନାରେ ମାମଲା ରୁଜୁ କରାଯାଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହାସହିତ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଛି ।
ଇଟିଭି ଭାରତ, ଝାରସୁଗୁଡା