ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି । ଏହାରି ଭିତରେ ଭାରତୀୟ ଜନତା ପାର୍ଟିକୁ ଆଜି ଲାଗିଛି ଶକ୍ତ ଝଟକା । ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ ଆଜି ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । ଦୀର୍ଘ ୨୫ ବର୍ଷ ଧରି ବିଜେପିର ବିଭିନ୍ନ ପଦ ପଦବୀରେ ଥିବା ମଙ୍ଗଲ ଦଳରେ ସାମିଲ ହେବା ସହ ବିଜେଡି ସୁପ୍ରିମୋଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ।
![ବିଜେଡିରେ ମଙ୍ଗଲ, ଶଙ୍ଖ ଭବନରେ ମିଶିଲେ, ନବୀନଙ୍କୁ ଭେଟିଲେ](https://etvbharatimages.akamaized.net/etvbharat/prod-images/od-bbsr-05-bjd-joining-7209787_03052023161715_0305f_1683110835_74.jpg)
ଶଙ୍ଖ ଭବନରେ ଆୟୋଜିତ ହୋଇଛି ଦଳର ଏକ ମିଶ୍ରଣ ପର୍ବ । ବିଜେପି ସହ ୨୫ ବର୍ଷର ସମ୍ପର୍କ ତୁଟାଇ ବିଜେଡିରେ ସାମିଲ ହୋଇଛନ୍ତି ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ । ମଙ୍ଗଲ ଦୁଇ ଥର ବିଜେପି ରାଜ୍ୟ ପରିଷଦରେ କାମ କରିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ସାଂସଦ ପ୍ରତିନିଧି ଥିଲେ ମଙ୍ଗଲ । ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ ସାଂସଦ ଥିବା ସମୟରେ ବି ସାଂସଦ ପ୍ରତିନିଧି ଥିଲେ । ରାଜ୍ୟସଭା ସାଂସଦ ତଥା ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଦଳୀୟ ଉତ୍ତରୀୟ ପିନ୍ଧାଇ ମଙ୍ଗଲଙ୍କୁ ସ୍ଵାଗତ କରିଛନ୍ତି । ମଙ୍ଗଲଙ୍କ ଯୋଗଦାନ ଫଳରେ ଝାରସୁଗୁଡ଼ାରେ ବିଜେଡି ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ମାନସ କହିଛନ୍ତି ।
![ବିଜେଡିରେ ମଙ୍ଗଲ, ଶଙ୍ଖ ଭବନରେ ମିଶିଲେ, ନବୀନଙ୍କୁ ଭେଟିଲେ](https://etvbharatimages.akamaized.net/etvbharat/prod-images/od-bbsr-05-bjd-joining-7209787_03052023161715_0305f_1683110835_563.jpg)
ଏହାବି ପଢନ୍ତୁ- ବିଶ୍ବର ଲୋକପ୍ରିୟ ଡେସ୍କ୍ଟପ୍ ବ୍ରାଉଜର Google Chrome, ଦ୍ବିତୀୟରେ Safari
ମଙ୍ଗଲ ସାହୁ କହିଛନ୍ତି ଯେ, ‘‘ଝାରସୁଗୁଡ଼ା ଜିଲ୍ଲାରେ ବିଜେପିର ସଂଗଠନ କେମିତି ବୃଦ୍ଧି ହେବ, ସେଥିପାଇଁ କଠିନ ପରିଶ୍ରମ କରିଥିଲି । ଦିନରାତି ଏକ କରି ପାର୍ଟି ପାଇଁ ପ୍ରଚାର କରିଥିଲି । ପାର୍ଟିର କିଛି ନେତା ନୀତି, ଆଦର୍ଶ ଭୁଲି ମିଥ୍ୟାର ରାଜନୀତି କରୁଥିବାରୁ ମୁଁ ଅତ୍ୟନ୍ତ କ୍ଷୋଭର ସହ ପାର୍ଟି ଛାଡ଼ିବାକୁ ନିଷ୍ପତ୍ତି ନେଇଛି । ନବ ଦାସଙ୍କୁ ଗୁଳି କରି ହତ୍ୟା କରାଗଲା, ଅଲଗା ଦଳରେ ଥିଲେ ବି ଜଣେ ନେତାଙ୍କର ଏଭଳି ହତ୍ୟାକାଣ୍ଡ ବ୍ୟଥିତ କରିଥିଲା । ଦଳମତ ନିର୍ବିଶେଷରେ ସମସ୍ତେ ଚାହୁଁଥିଲୁ ଦୋଷୀକୁ କଠୋର ଦଣ୍ଡ ମିଳୁ । କିନ୍ତୁ କିଛିଦିନ ଭିତରେ ବିଜେପିର କିଛି ନେତା ଏହାକୁ ନେଇ ହୀନ ରାଜନୀତି କରିବା ଆରମ୍ଭ କରିଦେଲେ । ହତ୍ୟାକାଣ୍ଡ ସମ୍ପର୍କରେ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମନଗଢ଼ା କାହାଣୀ ତିଆରି କରି ବିଭିନ୍ନ ସମୟରେ ଅଲଗା ଅଲଗା ଅଭିଯୋଗ କଲେ । ଏହା ମୋତେ ଦୁଃଖ ଦେଲା, ଆଚମ୍ବିତ କଲା ଏବଂ ଶକ୍ତ ଆଘାତ ଦେଲା । କିଛି ନେତା ଏଭଳି କାହିଁକି କରୁଛନ୍ତି ବୋଲି ମୁଁ ପାର୍ଟି ଭିତରେ ପ୍ରଶ୍ନ ଉଠାଇଥିଲି । ବରିଷ୍ଠ ନେତାମାନଙ୍କ ଆଗରେ ମୋ ମତ ରଖିଥିଲି ବି କେହି ମୋ କଥା ଶୁଣିଲେନାହିଁ ।’’
![ବିଜେଡିରେ ମଙ୍ଗଲ, ଶଙ୍ଖ ଭବନରେ ମିଶିଲେ, ନବୀନଙ୍କୁ ଭେଟିଲେ](https://etvbharatimages.akamaized.net/etvbharat/prod-images/od-bbsr-05-bjd-joining-7209787_03052023161715_0305f_1683110835_145.jpg)
ପଦ୍ମପୁର ଉପନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇ ହାରିଥିବା ପ୍ରଦୀପ ପୁରୋହିତ କହିଲେ ଯେ ନବ ଦାସଙ୍କ ଝିଅ ଦୀପାଳି ହତ୍ୟାକାରୀ ସହ ମିଶି ଯାଇଛନ୍ତ । ତାହା ମୋତେ ଗଭୀର ଆଘାତ ଦେଲା । କେବଳ ରାଜନୈତିକ ଫାଇଦା ପାଇଁ ଜଣେ ବାପଛେଣ୍ଡ ଝିଅ ବିରୋଧରେ ବିଜେପି ନେତାମାନଙ୍କ ଏଭଳି ମିଥ୍ୟାଚାର ଓ ଆତ୍ମପ୍ରବଞ୍ଚନାକୁ ମୁଁ ସହି ପାରିଲି ନାହିଁ । ଆମ ସମସ୍ତଙ୍କ ଘରେ ବି ଝିଅ ଓ ଭଉଣୀ ଅଛନ୍ତି । ରାଜନୀତି ତା’ ବାଟରେ ହେବା କଥା । କିନ୍ତୁ ମୁଁ ଯେତେବେଳେ ହୃଦବୋଧ କଲି ଯେ ଏମାନେ ରାଜନୀତି ପାଇଁ କିଛି ବି କରିପାରନ୍ତି, ମୁଁ ଆଉ ଏଭଳି ପାର୍ଟିରେ ରହିବିନି ବୋଲି ସ୍ଥିର କଲି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାରେ ନିରନ୍ତର ବିକାଶ ହେଉଛି । ବିଜୁ ଜନତା ଦଳ ଦ୍ବାରା ଓଡ଼ିଶାର ପ୍ରତ୍ୟେକ ବର୍ଗ ଉପକୃତ ହେଉଛନ୍ତି । ମୁଁ ଏଥିରେ ଗଭୀର ଭାବେ ପ୍ରଭାବିତ ହୋଇଛି । ତେଣୁ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଲି । ଆଜିଠାରୁ ମୁଁ ମୋର ସମସ୍ତ ଶକ୍ତି ଖଟାଇ ବିଜେଡି ପାଇଁ କାମ କରିବି । ଝାରସୁଗୁଡ଼ା ଜିଲ୍ଲାରେ ରାଜ୍ୟ ସରକାରଙ୍କ ବିକାଶର ଧାରାକୁ ଆଗେଇ ନେବା ଲାଗି ଦଳ ମୋତେ ଯେଉଁ ଦାୟିତ୍ବ ଦେବେ ତାହା ନିଷ୍ଠାର ସହ ନିର୍ବାହ କରିବି । ଏହି ମିଶ୍ରଣ ସଭାରେ ମାନସ ମଙ୍ଗରାଜ ଅଧ୍ୟକ୍ଷତା କରିଥିବା ବେଳେ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ଧନ୍ୟବାଦ ଅର୍ପଣ କରିଛନ୍ତି । ବିଜେଡି ନେତା ମୌସମ ମିଶ୍ର ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର