ଝାରସୁଗୁଡ଼ା: ଝାରସୁଗୁଡ଼ା ଡାନିଆଲ ସୋସାଇଟିର ଅନାଥ ଛୁଆ ପାଳିଲେ ଦୀପାବଳି । ବାଣ ଫୁଟାଇ ମିଠା ଖାଇ ଆନନ୍ଦର ସହ ପାଳିଲେ ଦୀପାବଳି । ଏହି ଅନାଥ ଛୁଆଙ୍କ ମୁହଁରେ ଖୁସି ଦେବା ପାଇଁ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରେ ଥିବା ଡାନିଆଲ ସୋସାଇଟିର ସମ୍ପାଦକ ବିଜୟ କୁମାର ପଟ୍ଟନାୟକ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି । ସୂଚନାନୁସାରେ କୋଭିଡ କଟକଣା ହଟିବା ପରେ ଚଳିତ ବର୍ଷ ପାଳିତ ହେଉଛି ଆଲୋକର ପର୍ବ ଦୀପାବଳି । ଏନେଇ ସାରା ସହର ଉତ୍ସବମୁଖର ହୋଇ ଉଠିଥିବାବେଳେ, ଡାନିଆଲ ସୋସାଇଟିରେ ମଧ୍ୟ ଦୀପାବଳି ମହୋତ୍ସବ ମଧ୍ୟ ବେଶ୍ ଧୁମଧୀମରେ ପାଳନ କରାଯାଇଛି ।
ପ୍ରାୟ ୨୦୦ଜଣ ଅନାଥ ଅନ୍ତେବାସୀ ବାଣ ଫୁଟାଇ ପାଳନ କରିଛନ୍ତି ଦୀପାବଳି । ବାପ, ମାଆ ଛେଉଣ୍ଡ ଛୁଆମାନଙ୍କୁ ଆଜି ଦିପାବଳୀ ଅବସରରେ ଖୁସି ଦେବାପାଇଁ ଡାନିଆଲ ସୋସାଇଟିର ନିର୍ଦ୍ଦେଶକ, ସମ୍ପାଦକ ଓ ସ୍ଥାନୀୟ ବାସିନ୍ଦାମାନେ ଆସି ଅନାଥ ଛୁଆମାନଙ୍କ ସହିତ ଦୀପ ଜଳେଇ, ବାଣ ଫୁଟେଇଥିଲେ । ଏହାସହ ମିଠା ଖୁଏଇ ଆନନ୍ଦ ଓ ହର୍ଷ ଉଲ୍ଲାସର ପର୍ବ ଦୀପାବଳି ପାଳନ କରିଥିଲେ । ତେବେ ଡାନିଆଲ ସୋସାଇଟିର ସମ୍ପାଦକ ନିଜ ଛୁଆମାନଙ୍କ ଭଳି ସମସ୍ତଙ୍କ ସହିତ ମିଶି ଏକତ୍ର ବାଣ ଫୁଟାଇଥିଲେ । ସେହିଭଳି ସହ ନିର୍ଦ୍ଦେଶିକା ମଧ୍ୟ ଛୁଆମାନଙ୍କ ସହିତ ମିଶି ଦୀପ ଜଳାଇବା ସହିତ ସେହିମାନଙ୍କ ସହ ବାଣ ଫୁଟାଇଥିଲେ ।
ଏ ସମ୍ପର୍କରେ ସୋସାଇଟିର ନିର୍ଦ୍ଦେଶିକା ରଞ୍ଜିତା ତନ୍ତି କହିଛନ୍ତି, ''ଆଜି ଏକ ବଡ଼ ଦିନ । ଆଲୋକର ପର୍ବ । ଏହି ଦିନରେ ମୁଁ ଡାନିଆଲ ସୋସାଇଟରେ ଥିବା ବାପ, ମାଆ ଛେଉଣ୍ଡ ଛୁଆଙ୍କ ସହ ଦୀପାବଳି ପାଳନ କରୁଥିବାରୁ ମୁଁ ବହୁତ ଖୁସି ଅଛି । ସବୁ ବର୍ଷ ଘରେ ପାଳନ କରେ । ହେଲେ ଏଥର ଏହି ଅନାଥ ଛୁଆଙ୍କ ସହିତ ଦୀପାବଳି ପାଳନ କରି ବହୁତ ଖୁସି ଅନୁଭବ କରୁଛି ।''
ଏହାମଧ୍ୟ ପଢ଼ନ୍ତୁ. ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ସହ ଦୀପାବଳି ପାଳିଲେ ମେୟର
ସେହିପରି ଡାନିଏଲ ସୋସାଇଟିର ସମ୍ପାଦକ ବିଜୟ କୁମାର ପଟ୍ଟନାୟକ କହିଛନ୍ତି, ''ଯାହାର କେହି ନାହାଁନ୍ତି ସେମାନଙ୍କ ପାଇଁ ଡାନିଏଲ ସୋସାଇଟି ଅଛି । ସୋସାଇଟିର ସଦସ୍ୟ ଅଛନ୍ତି । ଆଉ ଏଠାରେ ଥିବା ଅନାଥ ଛୁଆ କେବେ ବି ଅନୁଭବ କରିନାହାଁନ୍ତି ସେମାନେ ଅନାଥ ବୋଲି । ଆଜି ଏହି ଅବସରରେ ପିଲାଙ୍କ ମଧ୍ୟରେ ସକାଳୁ ନାଚ, ଗୀତକୁ ନେଇ ଏକ ପ୍ରତିଯୋଗିତା ହୋଇଥିଲା । ପରେ ପିଲାଙ୍କୁ ନାନା ସୁଆଦିଆ ଖାଦ୍ୟ ଦିଆଯାଇଥିଲା । ଯେମିତି ଘରେ ଏହି ଦିନକୁ ଅତି ଆନନ୍ଦର ସହ ପାଳନ କରଯାଏ ଠିକ୍ ସେହିପରି ଏଠି ମଧ୍ୟ ପାଳନ କରାଯାଉଛି । ଏହା ତାଙ୍କର ଘର । ଏଠି ସେମାନେ ଅଧିକାର ସହ ସମସ୍ତ କାମ କରିପାରିବେ ଓ ପର୍ବପର୍ବାଣୀ ମଧ୍ୟ ପାଳନ କରିପାରିବେ ।
ଇଟିଭି ଭାରତ, ଝାରସୁଗୁଡ଼ା