ଝାରସୁଗୁଡା: ଆସନ୍ତା ୩୧ ମେ ରେ ବ୍ରଜରାଜନଗର ଉପ-ନିର୍ବାଚନ । ତାରିଖ ଘୋଷଣା ହେବା ସତ୍ବେ ଏବେ ଟିକେଟ କାହାକୁ ମିଳିବ, କିଏ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବ, ତାହାକୁ ନେଇ ଜିଲ୍ଲାର ତିନି ପ୍ରମୁଖ ଦଳରେ ଲାଗି ରହିଛି ଚର୍ଚ୍ଚା ।
ତେବେ ଗତକାଲି କଂଗ୍ରେସ ପକ୍ଷରୁ ୫ଜଣିଆ କମିଟି ଆସି ବ୍ରଜ ରାଜନଗର ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରି ଟିକେଟ କାହାକୁ ଦେବେ କର୍ମୀଙ୍କ ମତ ନେଇଥିଲେ। ଏହାପରେ କଂଗ୍ରେସର ଟାଣୁଆ ନେତା ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କ ନାଁ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇ AICC କୁ ବ୍ରଜରାଜନଗର ଉପ-ନିର୍ବାଚନ ପ୍ରାର୍ଥୀ ପାଇଁ ପଠେଇଛି ଦଳ । AICC ପକ୍ଷରୁ ନିର୍ଦ୍ଦେଶ ଆସିଲେ କିଶୋର ପଟେଲ ପ୍ରାର୍ଥୀ ପତ୍ର ଦାଖଲ କରିବେ ବୋଲି ଜିଲ୍ଲା ସଭାପତି ଭରତ ଅୱସ୍ତି କହିଛନ୍ତି। ପ୍ରାୟତଃ କିଶୋର ପଟେଲଙ୍କୁ କଂଗ୍ରେସ ଟିକେଟ ଦେବାର ସମ୍ଭାବନା ଅଧିକ ରହିଛି।
ପୂର୍ବରୁ କିଶୋର ପଟେଲ ୨୦୧୪ରେ କଂଗ୍ରେସରୁ ଟିକେଟ ନେଇ ବ୍ରଜରାଜନଗର ବିଧାୟକ ପ୍ରାର୍ଥୀ ମଧ୍ୟ ହୋଇ ବିଜେଡିର ଅନୁପ ସାଏ ଓ ବିଜେପିର ରାଧାରାଣୀ ପଣ୍ଡାଙ୍କୁ କଡା ଟକ୍କର ଦେଇଥିଲେ । ଏବେ ଅପେକ୍ଷା AICC କାହାକୁ ଟିକେଟ ଦେଉଛନ୍ତି ।
ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ