ଯାଜପୁର: ଟଙ୍କା ଓ ମଦ ନିଶାରେ ପୁଅ ଭୁଲିଗଲା ସମ୍ପର୍କର ମୁଲ । କେଇଟା ଟଙ୍କା ପାଇଁ ଜନ୍ମ କଲା ମାଆକୁ ହତ୍ୟା କରିବାକୁ ପଛେଇଲାନି ପୁଅ (son killed his mother)। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ବଡ଼ଚଣା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।
ସୂଚନାଅନୁସାରେ ବଡ଼ଚଣା ଗାଁର ସ୍ବର୍ଗତ ଅନନ୍ତ ସାମଲଙ୍କ ପତ୍ନୀ ସୁଷମା ସାମଲ ଘରେ ଥିବାବେଳେ ତାଙ୍କ ବଡ଼ ପୁଅ ରଞ୍ଜନ କୁମାର ସାମଲ ମଦ ପିଇ ଘରକୁ ଆସିଥିଲା । ମାଆକୁ ଟଙ୍କା ମାଗିଥିଲା । ଟଙ୍କା ପାଖରେ ନାହିଁ ବୋଲି କହିଥିଲେ ସୁଷମା । ଏହା ଶୁଣି ରଞ୍ଜନ ମୁଣ୍ଡକୁ ପିତ୍ତ ଚଢି ଯାଇଥିଲା । ଏକ ବାଉଁଶ ଆଣି ମା ମୁଣ୍ଡକୁ ଖୁବ୍ ଜୋର୍ରେ ପିଟି ଦେଇଥିଲା ରଞ୍ଜନ । ଏହାପରେ ୨ ସାନ ଭାଇ , ବଡ଼ ଭାଇକୁ କାବୁ କରିବା ସହ ଘରେ ବାନ୍ଧି ଦେଇଥିଲେ । ଗୁରୁତର ଅବସ୍ଥାରେ ମାଆକୁ ବଡ଼ଚଣା ମେଡିକାଲକୁ ନେଇଥିଲେ ଦୁଇ ସାନପୁଅ । ସେତେବେଳକୁ ସବୁ କିଛି ଶେଷ ହୋଇଯାଇଥିଲା । ସୁଷମାଙ୍କ ମୃତ୍ୟୁ ହୋଇଯାଇଥିଲା ।
ଖବର ପାଇ ବଡ଼ଚଣା ପୋଲିସ ଘଟଣାସ୍ଥଳର ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବଡ଼ ପୁଅ ରଞ୍ଜନ କୁମାର ସାମଲକୁ ଗିରଫ କରିଛି । ଏନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ରଞ୍ଜନ ଘରକୁ ବାରମ୍ବାର ମଦ୍ୟପାନ କରି ଆସି ପରିବାର ଲୋକଙ୍କୁ ମାର୍ପିଟ୍ କରୁଥିବା ଅଭିଯୋଗ ହୋଇଛି । ବଡ଼ଚଣା ପୋଲିସ ଘଟଣାର ଛାନ୍ଭିନ୍ ଜାରି ରଖିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ