ଯାଜପୁର: କାଳିଆପାଣି ଅଞ୍ଚଳରେ ଗତ 7 ତାରିଖରେ ଜଣେ ନାବାଳିକା ଛାତ୍ରୀକୁ ଗଣଦୁଷ୍କର୍ମ ହୋଇଥିବାବେଳେ ଏଥିରେ 4 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି । ଏନେଇ ଯାଜପୁର ଏସପି ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଗତ 7ତାରିଖ ଡୁବୁରୀ ଅଞ୍ଚଳର ଜଣେ ଯୁକ୍ତଦୁଇ ଛାତ୍ରୀ ନିଜର କଲେଜ ପଢୁଆ ଯୁବକ ବନ୍ଧୁ ସହ ବ୍ରହ୍ମଣୀପାଳ ସ୍ଥିତ ଏକ ଘରୋଇ କାରଖାନାକୁ ମେଧାବୀ ଛାତ୍ରୀବୃତ୍ତି ନେବାକୁ ଆସିଥିଲେ । ତେବେ ସେମାନେ କାଳିଆପାଣି ଅଞ୍ଚଳ ଦେଇ ଯାଉଥିବା ସମୟରେ 4 ଜଣ ଦୁବୃର୍ତ୍ତ ସେମାନଙ୍କୁ ଫଲୋ କରି ପଛେପଛେ ଯାଇଥିଲେ । ତେବେ ନିଛାଟିଆ ରାସ୍ତାରେ ଅଟକାଇ ନାବାଳିକାଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ଅସହାୟ ଅବସ୍ଥାରେ ଛାତ୍ରୀ ଜଣକ ନିରୁପାୟ ହୋଇ ନିକଟରେ ଥିବା ଜଣେ ମହିଳା ହୋମଗାର୍ଡଙ୍କ ଘରେ ଦୌଡି ଦୌଡି ପସି ଯାଇଥିଲେ ।
ପରେ ହୋମଗାର୍ଡଙ୍କ ପାଖରୁ ଖବର ପାଇ କାଳିଆପାଣି ପୋଲିସ ରାତିସାରା ଖୋଜାଖୋଜି କରି ଚାରି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିଲା । ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ହେଲେ ସନ୍ତୋଷ ପୃଷ୍ଟି, ସତ୍ୟବ୍ରତ ବେହେରା ଓରଫ୍ ବବଲୁ, ଉମେଶ ଚନ୍ଦ୍ର ମହାନ୍ତ ଓରଫ୍ ସିଲୁ ଓ ରବି ନାଏକ । ସନ୍ତୋଷର ବୟସ 31 ହୋଇଥିବା ବେଳେ ଅନ୍ୟମାନଙ୍କ ବୟସ 20 ବର୍ଷ ମଧ୍ୟରେ ବୋଲି ଜଣାପଡିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରିରଖିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ