ଯାଜପୁର: ରହିବାକୁ ମୁଣ୍ଡ ଉପରେ ନାହିଁ ଖଣ୍ଡିଏ ଘର । କାନ୍ଧରେ 6 କୁନି କୁନି ପିଲାଙ୍କ ବୋଝ । ଜୀବନ କାଟିବାକୁ ବାର ଦୁଆର ଶୁଣ୍ଢି ପିଣ୍ଢା ହେଉଛନ୍ତି ଯାଜପୁର ଜିଲ୍ଲା ନୀଳଦେଇପୁର ଶାସନ ଗାଁର କଳ୍ପନା ଖଟୁଆ । କିଛି ଦିନ ତଳେ ଟିବି ରୋଗରେ ପିଡିତ ହୋଇ ମୃତ୍ୟୁ ବରଣ କରିଛନ୍ତି ସ୍ବାମୀ ବିଚିତ୍ର ଖଟୁଆ । ଖାଇବାକୁ ଦୁଇ ଓଳି ଦୁଇ ମୁଠା ନଥିବାବେଳେ, ପର ଘରୁ ଯାହା ମାଗିକି ଆଣିବେ ତାକୁ ହିଁ ଫୁଟେଇ ରାନ୍ଧି ଛୁଆଙ୍କ ପେଟ ଭରୁଛନ୍ତି କଳ୍ପନା ।
ଏପରି ସ୍ଥିତିରେ ପିଲାଙ୍କୁ କିଭଳି ମଣିଷ କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି ଏହି ଅସହାୟ ମହିଳା । ସରକାରୀ ସହାୟତା କହିଲେ କେବଳ ଚାଉଳ ଗଣ୍ଡାଏ ମିଳୁଛି । ଯାହାକୁ ନେଇ ସରକାରଙ୍କ ପକ୍ଷରୁ ଘର ଖଣ୍ଡିଏ ଯୋଗାଇ ଦେବା ସହ ପିଲାଙ୍କ ଥଇଥାନ ପାଇଁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ସେ ।
ଅନ୍ୟପଟେ ବିଚିତ୍ର ଖଟୁଆଙ୍କର ଅନ୍ୟ କେହି ସମ୍ପର୍କୀୟ ନଥିବାରୁ କଳ୍ପନା ବାଧ୍ୟହୋଇ ତାଙ୍କ ବାପ ଘରେ ରହୁଛନ୍ତି । ତେବେ କଳ୍ପନାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ପକ୍ଷରୁ ଦାବି ହୋଇଛି । ଏନେଇ ଆମ ସମ୍ବାଦଦାତା ଦାନଗଦୀ ବିଡିଓଙ୍କୁ ଭେଟି କଳ୍ପନାଙ୍କ ଦୁଃଖ କଥା ଜଣାଇଥିଲେ । ସରକାରଙ୍କର ଯାହାବି ଯୋଜନା ରହିଛି ସେଥିରେ କଳ୍ପନାଙ୍କୁ ଖୁବଶୀଘ୍ର ସାମିଲ କରାଯାଇ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ