ଜଗତସିଂହପୁର: ଜିଲ୍ଲାର ଏରସମା ଥାନା କୁଞ୍ଜ କୋଠୀ ଅଜଗର ବେଦୀ ଗ୍ରାମରେ ଅଭାବନୀୟ ଘଟଣା । ମହିଳାଙ୍କୁ ବିଭତ୍ସ ହତ୍ୟା ପରେ ଅଖାରେ ପୁରାଇ ଅଭିଯୁକ୍ତ ଫେରାର ହୋଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ସେହି ଗ୍ରାମର ତୁଳସୀ ମଣ୍ଡଳ । ଆଜି ସକାଳ ସମୟରେ ଘର ଭିତରେ ଥିବା ରକ୍ତ ଜୁଡୁବୁଡୁ ଅଖାରେ ମହିଳାଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ସଞ୍ଜୟ ଦାସ ସେହି ଗ୍ରାମର ତୁଳସୀ ମଣ୍ଡଳଙ୍କୁ ହତ୍ୟାକରି ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଦେହକୁ ଏକ ଅଖା ଭିତରେ ଭର୍ତ୍ତି କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତେବେ କେଉଁ କାରଣରୁ ମହିଳା ଜଣଙ୍କୁ ହତ୍ୟା କରାଯାଇଛି ସେନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ