ଜଗତସିଂହପୁର: ୧୦ ହଜାର ଟଙ୍କାରେ ବିକ୍ରି ହୋଇଥିବା ୧୫ ଦିନର ନବଜାତ ଶିଶୁପୁତ୍ର ଉଦ୍ଧାର । ସଦର ଥାନା ଚର୍ଚ୍ଚିକା ବଜାରରେ ଗତକ ଶନିବାର ୧୦ ହଜାର ଟଙ୍କାରେ ବିକ୍ରି ହୋଇଥିବା ୧୫ ଦିନର ନବଜାତ ଶିଶୁପୁତ୍ରକୁ ଗତକାଲି ଜଗତସିଂହପୁର ପୋଲିସ ସ୍ଥାନୀୟ ପୋକପୁର ଗାଁରେ ଚଢ଼ାଉ କରି ଉଦ୍ଧାର କରିଛି । ଗତ ଶନିବାର ଚର୍ଚ୍ଚିକା ବଜାରର ଜନୈକ ବ୍ୟକ୍ତି ତାଙ୍କର ୧୫ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ପୋକପୁର ଗାଁର କାଙ୍ଗାଳୀ ମଲିକକୁ ବିକ୍ରି କରିଥିବା ନେଇ ଅଭିଯୋଗ ହୋଇଥିଲା ।
ଜେଜେ ମାଆର ଅଭିଯୋଗକ୍ରମେ ସ୍ଥାନୀୟ ପୋଲିସ ଓ ଶିଶୁ ସୁରକ୍ଷା ବିଭାଗର ତନାଘନା ଆରମ୍ଭ ହୋଇଥିଲା । ତେବେ ରବିବାର ପୋକପୁର ଗାଁରୁ ଶିଶୁକୁ ଉଦ୍ଧାର କରିବା ସହିତ ପିଲାକୁ ନେଇଥିବା ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚାରଉଚରା କରାଯାଉଥିବା ଖବର ମିଳିଛି । ସୂଚନା ଅନୁଯାୟୀ ପାରିବାରିକ କଳହ ଯୋଗୁ ୧୫ ଦିନର ଏହି ଶିଶୁପୁତ୍ରକୁ ଛାଡି ତାର ମାଆ ଚାଲିଯିବା ପରେ ତାର ଲାଳନ ପାଳନ କରିନପାରି ବାପା ଶିଶୁଟିକୁ ଜଣେ କୁକୁଡ଼ା ବ୍ୟବସାୟୀକୁ ୧୦ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲା ବୋଲି କୁହାଯାଉଛି ।
ବାପା ଶିଶୁପୁତ୍ରର ଜେଜେ ମାଆକୁ ହଜାରେ ଟଙ୍କା ଧରେଇ ଦେଇ ଅବଶିଷ୍ଟ ଟଙ୍କା ନେଇ କୁଆଡେ ଫେରାର ହୋଇଯାଇଛି । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଓ ଶିଶୁ ସୁରକ୍ଷା ବିଭାଗ ଅଧିକାରୀ ତନାଘନା କରି ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛନ୍ତି । ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକୃତରେ ପାରିବାରିକ କଳହ ନା ଅନ୍ୟ କୌଣସି କାର୍ଯ୍ୟକୁ ନେଇ ଶିଶୁପୁତ୍ରର ବାପା ପିଲାଟିକୁ ବିକ୍ରି କଲେ, ସେନେଇ CWC ଅଧିକାରୀ ଓ ପୋଲିସ ଅଧିକ ପଚାରାଉଚରା ଜାରି ରଖିଛନ୍ତି ।
ଇଟିଭି ଭାରତ, ଜଗତସିଂହପୁର