ଜଗସିଂହପୁର: ବାହା ହେଲେ ଏସିଡ୍ ପୀଡିତା ପ୍ରମୋଦିନୀ । ସୋମବାର ଜଗସିଂହପୁରର ଏସିଡ୍ ପୀଡିତା ପ୍ରମୋଦିନୀ ରାଉଳ ଭୁବନେଶ୍ବରର ସରୋଜ ସାହୁଙ୍କୁ ବିବାହ କରିଛନ୍ତି । ଗତ 2018 ମସିହାରେ ଲକ୍ଷ୍ନୌରେ ଦୁହିଁଙ୍କର ନିର୍ବନ୍ଧ ହୋଇଥିଲା । କୋରୋନା ମହାମାରୀ କାରଣରୁ ଦୁହିଁଙ୍କ ବିବାହରେ ବିଳମ୍ବ ହୋଇଥିଲା । ତେବେ ଆଜି ଦୁହିଁଙ୍କ ପରିବାରର ସ୍ବୀକୃତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ପ୍ରକାଶ ଥାଉକି, ଜଗତସିଂହପୁର ଜିଲ୍ଲା ତ୍ରିତୋଲ ଥାନ ଅନ୍ତର୍ଗତ କନକପୁର ଗ୍ରାମର ପ୍ରମୋଦିନୀ ରାଉଳ 2009 ମସିହାରେ ଶାରଳା ମହାବିଦ୍ୟାଳୟରେ ପାଠ ପଢୁଥିଲେ । ସେହି ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ତାଙ୍କୁ ପ୍ରେମ ନିବେଦନ କରିଥିଲେ। ପ୍ରମୋଦିନୀ ତାଙ୍କ ପ୍ରେମ ନିବେଦନକୁ ମନା କରିବାରୁ ଯୁବକ ଜଣଙ୍କ 2009 ମସିହା ଜାନୁଆରୀ 3 ତାରିଖରେ ପ୍ରମୋଦିନୀଙ୍କ ଉପରକୁ ଏସିଡ୍ ମାଡ କରିଥିଲେ । ଯେଉଁଥିରେ ପ୍ରମୋଦିନୀଙ୍କ ଶରୀରର 90 ପ୍ରତିଶତ ପୋଡିଯିବା ସହ ସେ ସମ୍ପୂର୍ଣ୍ଣ ଦୁର୍ଷ୍ଟି ଶକ୍ତି ହରାଇ ବସିଥିଲେ ।
ଏହା ମଧ୍ୟରେ 11 ବର୍ଷର ସଂଘର୍ଷ ବିତି ଯାଇଛି । ପ୍ରମୋଦିନୀ ଚିକିତ୍ସିତ ହେଉଥିବା ସମୟରେ ଏମଆର ସରୋଜ ସାହୁଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଆଜି ସେହି ସମ୍ପର୍କକୁ ଉଭୟ ପରିବାର ସ୍ୱୀକୃତି ପ୍ରଦାନ କରିଛନ୍ତି । ବାଜା ବାଣ ଓ ବରଯାତ୍ରୀଙ୍କୁ ନେଇ ସରୋଜ ପ୍ରମୋଦୀନିଙ୍କୁ ବିବାହ କରିଛନ୍ତି ।
ଜଗସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ