ବ୍ରହ୍ମପୁର : ପାଖେଇ ଆସୁଛି ସାଧାରଣ ନିର୍ବାଚନ । ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି । ନିର୍ବାଚନ ଜିତିବା ପାଇଁ ବିଭିନ୍ନ ଦଳ ରଣନୀତି ପ୍ରସ୍ତୁତ କରିଛି । ନିର୍ବାଚନକୁ ନେଇ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ଦଳୀୟ ପ୍ରସ୍ତୁତି ଆରମ୍ଭ କରିଛି । ଏହାରି ମଧ୍ୟରେ ବିଜୁ ଜନତା ଦଳ ପକ୍ଷରୁ ରାଜଧାନୀର ଦଳୀୟ କାର୍ଯ୍ୟାଳୟରେ ତାଲିମ ନେବେ ବ୍ରହ୍ମପୁର ବିଜେଡିର ମାଷ୍ଟର ଟ୍ରେନର । ବ୍ରହ୍ମପୁର ବିଧାନସଭା ଆସନରୁ ବିଜେଡି ଦଳର 200 ଜଣ ମାଷ୍ଟର ଟ୍ରେନର ତାଲିମ ନେବେ ବୋଲି ସୂଚନା ମିଳିଛି ।
ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ମାଷ୍ଟର ଟ୍ରେନର ଯାଇ ଏହି ତାଲିମ ନେବେ । ଏନେଇ ବ୍ରହ୍ମପୁରରେ ଦଳ ପକ୍ଷରୁ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ସେଠାରେ ମାସେ ବ୍ୟାପି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପାଇଁ ତାରିଖ ଓ ସମୟ ଧାର୍ଯ୍ୟ କରାଯାଇଛି । ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ୧୫ ତାରିଖ ଧାର୍ଯ୍ୟ କରାଯାଇଛି । ଏହାକୁ ନେଇ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ ସୂଚନା ଦିଆଯାଇଛି । ତେବେ ସେଠାରେ ଏମାନଙ୍କୁ ଯେଉଁ ବିଷୟରେ ତାଲିମ ପ୍ରଦାନ କରାଯିବ ତାହାକୁ ଫେରିବା ପରେ ସହରରେ ସମସ୍ତ ସକ୍ରିୟ ସଦସ୍ୟଙ୍କୁ ତାଲିମ ପ୍ରଦାନ କରିବେ । ଯାହାକୁ ନେଇ ଆଗାମୀ ଦିନରେ କାର୍ଯ୍ୟକ୍ରମକୁ ରୂପରେଖ ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ ବୋଲି ବିଧାୟକ ବିକ୍ରମ କୁମାର ପଣ୍ଡା ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ- ପାଖେଇ ଆସୁଛି 2024 ସାଧାରଣ ନିର୍ବାଚନ, କେନ୍ଦୁଝରରେ 'ମୋ ଦଳ'ର ସାଂଗଠନିକ ସମ୍ମିଳନୀ
ଏପରିକି ଦଳ ପକ୍ଷରୁ ସରକାରଙ୍କ ବିଭିନ୍ନ ଯୋଜନା ଗରିବ ଶ୍ରେଣୀର ଲୋକ ମାନେ ପାଉଛନ୍ତି ନା ବଞ୍ଚିତ ରହୁଛନ୍ତି ତାହାକୁ ନେଇ ଘର ଘର ବୁଲି ଅନୁଧ୍ୟାନ କରାଯିବ ବୋଲି କରାଯିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସାଧାରଣ ଜନତାଙ୍କ ନିକଟକୁ ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧି ପହଞ୍ଚୁଥିବା ବେଳେ ବ୍ରହ୍ମପୁର ମହାନଗର ନିଗମରେ ପ୍ରତ୍ୟେକ ୱାର୍ଡରେ ନିଜେ କମିଶନର ଏବଂ ମେୟର ଗସ୍ତ କରି ସମସ୍ତ ସୁବିଧା ଓ ଅସୁବିଧା ବୁଝୁଛନ୍ତି । ତେଣୁ ଯେଉଁମାନେ ବିଭିନ୍ନ କାର୍ଯ୍ୟବ୍ୟସ୍ତତା ଯୋଗୁଁ ନିଗମ କାର୍ଯ୍ୟାଳୟକୁ ପହଞ୍ଚି ପାରୁନଥିଲେ ସେମାନଙ୍କ ପାଇଁ ଅନେକ ସୁବିଧା ହେଉଥିବା ଦେଖିବାକୁ ମିଳିଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମର ବହୁ ,ଛାତ୍ର ଓ ଯୁବ ବିଜେଡ଼ି କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ବ୍ରହ୍ମପୁରର ମେୟର ସଂଙ୍ଘମିତ୍ରା ଦଳେଇ ,କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ବରିଷ୍ଠ ବିଜେଡି ନେତା ଅନିଲ ସାହୁଙ୍କ ଉପସ୍ଥିତିରେ ଏ ନେଇ ସହରରୁ ୨୦୦ଜଣ ମାଷ୍ଟର ଟ୍ରେନରଙ୍କ ତାଲିକା ପ୍ରସ୍ତୁତ କରାଯାଇଛି ।
ଇଟିଭି ଭାରତ, ବ୍ରହ୍ମପୁର