ଗଜପତି: ଅନାଥ ଶିଶୁ ବିଜୟଲକ୍ଷ୍ମୀଙ୍କୁ ମିଳିଗଲା ନୂଆ ମା’ କୋଳ। ମାରିଆ ତେରିସା ନାମକ ସ୍ପେନର ଜଣେ ମହିଳା କୋଳେଇ ନେଇଛନ୍ତି । ବିଜୟଲକ୍ଷ୍ମୀଙ୍କୁ ବର୍ତ୍ତମାନ ନୂଆ ପରିଚୟ ମିଳିଥିବାରୁ ସମସ୍ତେ ବେଶ୍ ଖୁସି ପ୍ରକାଶ କରିଛନ୍ତି । ବିଦେଶୀଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଚାଲୁଥିବା ବେଳେ ବିଜୟାଲକ୍ଷ୍ମୀଙ୍କୁ ଲାଳନ ପାଳନ କରୁଥିବା ସୁକାନ୍ତି ଶବର ଭାବୁକ ହୋଇପଡ଼ିଥିବା ଦେଖିବାକୁ ମିଳିଛି ।
ଗତ ୨ବର୍ଷ ତଳେ ଜଣେ ୧୦ବର୍ଷର ଝିଅ ବିଜୟଲକ୍ଷ୍ମୀଙ୍କୁ ମୋହନା ଅଞ୍ଚଳରୁ ଅସହାୟ ଅବସ୍ଥାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଚାଇଲ୍ଡଲାଇନ୍ ଉଦ୍ଧାର କରିଥିଲେ । ଏହାପରେ ତାକୁ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖିଥିଲା ପ୍ରଶାସନ । ତେବେ ବିଜୟଲକ୍ଷ୍ମୀଙ୍କୁ ସ୍ପେନର ଜଣେ ମହିଳା ପୋଷ୍ୟ ସନ୍ତାନ ଭାବେ କୋଳେଇ ନେଇଛନ୍ତି । ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୩୦ତମ ଶିଶୁକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ସ୍ପେନର ୫୦ବର୍ଷୀୟ ଏକ ଅବିବାହିତା ମହିଳା ମାରିଆ ତେରିସାଙ୍କୁ ହସ୍ତାନ୍ତର କରିଛନ୍ତି । ସେପଟେ ବିଜୟଲକ୍ଷ୍ମୀକୁ ପୋଷ୍ଯ ସନ୍ତାନ ଭାବେ ପାଇ ବେଶ ଖୁସି ଥିବା କହିଛନ୍ତି ମାରିଆ । ଭାରତ ଗୋଟିଏ ସୁନ୍ଦର ଦେଶ ଏବଂ ଭାରତର ସଂସ୍କୃତି ଓ ପରମ୍ପରାକୁ ବେଶ ଭଲ ପାଉଥିବାରୁ ସେ ଭାରତରୁ ପୋଷ୍ୟ ସନ୍ତାନ ଗ୍ରହଣ କରି ବେସ ଖୁସି ଥିବା କହିଛନ୍ତି ।
ବିଜୟଲକ୍ଷ୍ମୀଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ନେଇ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ସମସ୍ତ ତଥ୍ୟ ଅପଲୋଡ କରାଯାଇଥିଲା । ଯାହାଦ୍ବାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତି ପାଖକୁ ଯାଇପାରିବ, ତାହା ସମସ୍ତଙ୍କୁ ପୋର୍ଟାଲ ମାଧ୍ୟମରେ ଜଣାଇ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ୪ବର୍ଷ ଧରି ପୋଷ୍ୟ ସନ୍ତାନ ପାଇଁ ଅନଲାଇନ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଏହି ସ୍ପେନିସ ମହିଳାଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମାଦନ କରିଥିଲେ ।
ମହିଳା ଜଣକ ଭିଡିଓ ମାଧ୍ୟମରେ ବିଜୟଲକ୍ଷ୍ମୀକୁ ପସନ୍ଦ କରିବା ସହ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ସ୍ଥିର କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ପ୍ରକ୍ରିୟା, ସ୍ବତନ୍ତ୍ର ପାଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଦସ୍ତାବିଜ ପ୍ରସ୍ତୁତ କରିଥିଲେ । ଜିଲ୍ଲାପାଳ ସୋମବାର ବିଜୟଲକ୍ଷ୍ମୀକୁ ସ୍ପେନୀୟ ମହିଳାଙ୍କୁ ହସ୍ତାନ୍ତର କରିଛନ୍ତି । ଜଣେ ଅନାଥଙ୍କୁ ମା' କୋଳ ମିଳିବା ନିଶ୍ଚିତ ଭାବେ ଖୁସିର କଥା ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଜିଲ୍ଲାପାଳ । ଝିଅଟିକୁ ପୋଷ୍ୟ ଦିଆଯାଇଥିବା ବେଳେ ତାର ଲାଳନପାଳନ କିଭଳି ହେଉଛି ତାହାର ତଦାରଖ ମଧ୍ୟ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ସେପଟେ ବିଜୟଲକ୍ଷ୍ମୀଙ୍କୁ ଲାଳନ ପାଳନ କରୁଥିବା ସୁକାନ୍ତି ଶବର ବିଦାୟ ଦେବା ସମୟରେ କହିଛନ୍ତି ଯେ, " ମୁଁ ବିଜଲକ୍ଷ୍ମୀଙ୍କୁ କେବେ ଭୁଲିପାରିବି ନାହିଁ । କାରଣ ସେ ଏଠାରେ ରହିବା ସମୟରେ ତାର ଯେମିତି କିଛି ଅସୁବିଧା ନହୁଏ ସେଥିପ୍ରତି ଧ୍ୟାନ ଦେଇ ପାଳନ କରିଆସୁଥିଲି । ବର୍ତ୍ତମାନ ତାକୁ ନୂଆ ପରିବାର ମିଳିଥିବାରୁ ସେ ବେଶ୍ ଖୁସି ଥିବା କହିଛନ୍ତି" ।
ଇଟିଭି ଭାରତ, ଗଜପତି