ନିଆଳି: ଗଣେଶ ପୂଜା ଭସାଣୀକୁ ଯାଇ ଆଉ ଘରକୁ ଫେରିଲେ ନାହିଁ ଯୁବକ, ସକାଳୁ କେନାଲରୁ ଉଦ୍ଧାର ହେଲା ମୃତଦେହ । ଏଭଳି ଘଟଣା ଘଟିଛି ଓଲଟପୁର ଥାନା ଅଡଶପୁର ବେଢାସାହି ଗାଁରେ । ମୃତକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର ରଘୁନାଥ ବିଶ୍ବାଳଙ୍କ ପୁଅ ରାଜ କିଶୋର । ପୁଅର ମୃତଦେହ ମିଳିବା ପରେ ଶରୀରରେ କ୍ଷତ ଚିହ୍ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ଥାନାରେ ଅଭିଯୋଗ କଲେ ମୃତ ଯୁବକଙ୍କ ବାପା ।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର କଟକ ଜିଲ୍ଲା ଓଲଟପୁର ଥାନା ଅଡଶପୁର ବେଢାସାହି ଗାଁରେ ଗଣେଶ ଭସାଣି ଚାଲିଥିଲା। ଗାଁର ସମସ୍ତ ଯୁବକ ଭସାଣୀରେ ସାମିଲଥିଲେ । ତେବେ ରାତିରେ ଭସାଣି ଶେଷ ହେବା ପରେ ସମସ୍ତେ ଘରକୁ ଫେରିଥିଲେ, ମାତ୍ର ଅଡଶପୁର ବେଢାସାହି ଗାଁର ରଘୁନାଥ ବିଶ୍ବାଳଙ୍କ ପୁଅ ରାଜକିଶୋର ଆଉ ଘରକୁ ଫେରିନଥିଲେ । ଘର ଲୋକେ ବହୁ ଖୋଜାଖୋଜି କରିବା ପରେ ନିରାଶ ହୋଇଥିଲେ ।
ପରେ ଆଜି ସକାଳୁ ଅଡଶପୁର କେନାଲ ମଧ୍ୟରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏନେଇ ଖବର ପାଇ ଓଲଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଛି । ଅନ୍ୟପଟେ ମୃତ ରାଜ କିଶୋରଙ୍କ ବାପା ରଘୁନାଥ ବିଶ୍ବାଳ ପୁଅକୁ ହତ୍ୟା କରାଯାଇଥିବା ଓଲଟପୁର ଥାନାରେ ଅଭିଯୋଗ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ପୋଲିସ ଅଫିସରଙ୍କ ପତ୍ନୀଙ୍କ ଠାରୁ ଛୁରୀ ଦେଖାଇ ଲୁଟିନେଲେ
ଏହାକୁ ଆଧାର କରି ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ତେବେ ରାଜକିଶୋରଙ୍କ ମୁହଁ ଏବଂ ବିଭିନ୍ନ ସ୍ଥାନରେ କ୍ଷତବିକ୍ଷତ ଚିହ୍ନ ଥିବାରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି । ତେବେ ଯୁବକ ଜଣଙ୍କୁ ହତ୍ୟା କରାଯାଇଛି ନା ଏହା ପଛରେ ଆଉ କିଛି କାରଣ ରହିଛି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।
ରାଜକିଶୋରଙ୍କୁ ଯଦି ହତ୍ୟା କରାଯାଇଛି ତେବେ କିଏ ଏ କାହିଁକି ଏଭଳି କାଣ୍ଡ ଘଟାଇଲା ତାହା ଏବେ ସବୁଠାରୁ ବଡ ପ୍ରଶ୍ନବାଚୀ । ଏହି ଘଟଣା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିନାହାନ୍ତି, ତଦନ୍ତ ଜାରି ରହିଥିବାବେଳେ ପୋଲିସ ତରଫରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଯୁବକଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ରାଜ କିଶୋରଙ୍କ ମୃତ୍ୟୁ ପରେ ଏବେ ପରିବାରରେ ଶୋକର ଛାୟା ଖେଳିଯାଇଛି ।