କଟକ: ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ମାମଲାର ତଦନ୍ତ ଅଧିକାରୀ ଓ ପବ୍ଲିକ ପ୍ରସିକ୍ୟୁଟର ସମ୍ମାନିତ । ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ ମିଳିବା ପରେ ଉକ୍ତ ମାମଲାର ତଦନ୍ତ ଅଧିକାରୀ ଦେବେନ୍ଦ୍ର କୁମାର ମଲ୍ଲିକ ଓ ପବ୍ଲିକ ପ୍ରସିକ୍ୟୁଟର ଅକ୍ଷୟ କୁମାର ନାୟକଙ୍କୁ ସମ୍ମାନିତ କରିଛନ୍ତି ପୋଲିସ ଡିଜି ବିକେ ଶର୍ମା ।
ଉଭୟଙ୍କୁ ଶନିବାର ରାଜ୍ୟ ପୋଲିସ ମୁଖ୍ୟାଳୟରେ ସମ୍ମାନିତ କରାଯାଇଛି । ଆଗାମୀ ଦିନରେ ଏଭଳି ନିଷ୍ଠାପର କର୍ତ୍ତବ୍ୟ ଜାରି ରହୁ ବୋଲି କହିଛନ୍ତି ଡିଜି । ଦୀର୍ଘ ଗୋଟିଏ ବର୍ଷ ପରେ ଏହି ମାମଲାର ଶୁଣାଣି ହୋଇ ଦୋଷୀ ମୁସ୍ତାକକୁ ଫାଶୀ ଦଣ୍ଡ ଦିଆଯାଇଥିବାରୁ ପୋଲିସ ପାଇଁ ଏହା ଏକ ଗର୍ବର ବିଷୟ ବୋଲି କହିଛନ୍ତି ଡିଜି ବିକେ ଶର୍ମା ।
ଓଡିଶା ପୋଲିସକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଛି । ଗତ 2 ମାସ ମଧ୍ୟରେ ରାଜ୍ୟରେ ଏକାଧିକ ଅପରାଧୀଙ୍କୁ ସଙ୍ଗୀନ ମାମଲାରେ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଯାହା ରାଜ୍ୟ ପୋଲିସ ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ଆଗକୁ ରାଜ୍ୟକୁ ଅପରାଧ ଓ ଅପରାଧୀଙ୍କୁ ସଙ୍କୁଚିତ କରିବା ଦିଗରେ ପୋଲିସର ଏହି ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ପୋଲିସ ଡିଜି ।
ସୂଚନାନୁସାରେ, ଗତ 2018 ମସିହା ଏପ୍ରିଲ ମାସରେ ସାଲେପୁର ଜଗନ୍ନାଥପୁରର ଜଣେ 6 ବର୍ଷୀୟ ନାବାଳିକାକୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ପରେ ହତ୍ୟା କରିଥିଲା ଅଭିଯୁକ୍ତ ମହମ୍ମଦ ମୁସ୍ତାକ । ଉକ୍ତ ମାମଲାଟି ଦୀର୍ଘ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଶୁଣାଣି ଚାଲିଥିବାବେଳେ ସେପ୍ଟେମ୍ବର 19ରେ ପକ୍ସୋ ଆକ୍ଟ ଆଧାରରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ହୋଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ