କଟକ: ନଭେମ୍ବର ସୁଦ୍ଧା ଶେଷ ହେବ ମାଆ କଟକ ଚଣ୍ଡୀ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ । ରାଜ୍ୟରେ ବିଭିନ୍ନ ଅଧିଷ୍ଠାତ୍ରୀ ଦେବୀଙ୍କ ମନ୍ଦିରକୁ ନବକଳେବର କରାଯାଇଥିବା ବେଳେ କଟକ ଚଣ୍ଡୀ ମନ୍ଦିରର ନବକଳେବର ନେଇ ଆରମ୍ଭ ହୋଇଛି ପ୍ରକଳ୍ପ କାର୍ଯ୍ୟ । 5ଟି ସଚିବ ପାଣ୍ଡିଆନ ଏହି ପୁରାତନ ମନ୍ଦିରକୁ ଗସ୍ତ କରି ଏହାର ରୂପରେଖ ବଦଳେଇବା ସମୀକ୍ଷା କରିଥିଲେ । ପରେ ଏହି ଯୋଜନା ଉପରେ ମୋହର ମାରିଥିଲେ ରାଜ୍ୟ ସରକାର ।
ଏହି ମନ୍ଦିରର ସମ୍ପ୍ରସାରଣ ପାଇଁ 70 କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ ରାଜ୍ୟ ସରକାର । ଯାହାକୁ ନେଇ ଜାରି ରହିଛି ଅଧିଷ୍ଠାତ୍ରୀ ଦେବୀ କଟକ ଚଣ୍ଡୀ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ । ସତୁରି କୋଟି ଟଙ୍କା ବ୍ୟୟରେ କରାଯାଉଥିବା ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କେତେ ବାଟ ଆଗେଇଛି ସେ ନେଇ କ୍ଷେତ୍ର ପରିଦର୍ଶନ କରି ସମୀକ୍ଷା କରିଥିଲେ ସିଡିଏ ଅଧ୍ୟକ୍ଷ, ଜିଲ୍ଲାପାଳ ଓ ସିଏମସି ମେୟରଙ୍କ ସମେତ ପ୍ରଶାସନିକ ଅଧିକାରୀ ।
ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଗତ ଡିସେମ୍ବର ମାସରୁ ଆରମ୍ଭ ହୋଇଛି । ଡିସେମ୍ବରରୁ ଆରମ୍ଭ ହୋଇଥିବା କାର୍ଯ୍ୟରେ ବର୍ତ୍ତମାନ ମନ୍ଦିର ପରିସରରେ ଥିବା ପୁରୁଣା ବିଲ୍ଡିଂକୁ ଭଙ୍ଗା ଯାଉଛି । ଏହା ସହ ମନ୍ଦିର ସମ୍ମୁଖ ରାସ୍ତାକୁ କିଭଳି ଅଧିକ ପ୍ରଶସ୍ତ କରାଯିବ ତାହାର ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ଚାଲିଛି । ଏହି ନିର୍ମାଣ କାର୍ଯ୍ୟକୁ କିଭଳି ଅଧିକ ତ୍ବରିତ ବେଗରେ ହେବ ସେ ନେଇ ନିର୍ମାଣକାରୀ ସଂସ୍ଥା ସହ ଆଲୋଚନା କରିଛି ଜିଲ୍ଲା ପ୍ରଶାସନ । ତେବେ ଆସନ୍ତା ନଭେମ୍ବର ସୁଦ୍ଧା ମାଆଙ୍କ ସୌନ୍ଦର୍ଯ୍ୟକରଣ କାମ ଶେଷ ହେବ ଓ କଟକ ନୂତନତାର ଆଉ ଏକ ପାଦ ଆଗେଇବ ବୋଲି କହିଛନ୍ତି ସିଡିଏ ଅଧ୍ୟକ୍ଷ ଓ ଜିଲ୍ଲାପାଳ ।
ସେପଟେ ନୂଆ ରୂପ ପାଇବ ମାଆ ଚଣ୍ଡୀଙ୍କ ମନ୍ଦିର । ଏନେଇ ଭକ୍ତଙ୍କଠାରୁ ଆରମ୍ଭ କରି କଟକବାସୀ ବେଶ୍ ଉତ୍ସାହ ଥିବା କହିଛନ୍ତି । କେବଳ ମାଙ୍କ ମୂଳ ଆସ୍ଥାନ ଛାଡି ଦେଲେ ଆଉ ସବୁଥିରେ କରାଯିବ ସୌନ୍ଦର୍ଯ୍ୟକରଣ । ମନ୍ଦିର ଭିତରେ ରହିବ ମାର୍କେଟ କମ୍ପ୍ଲେକ୍ସ ଯେଉଁଠି ଭକ୍ତମାନେ ଭୋଗ ଦୀପ ଏବଂ ପୂଜା ସାମଗ୍ରୀ ପାଇ ପାରିବେ । ଏହା ସହ ଭକ୍ତଙ୍କ ପାଇଁ ବିଶ୍ରାମଗାର ସହ ପୂଜକଙ୍କ ସ୍ବତନ୍ତ୍ର ଘର ନିର୍ମାଣ କରାଯିବ । ସେହିପରି ମାଆଙ୍କ ମନ୍ଦିରରେ ରହିବ ପ୍ରସାଦ ସେବନ ପାଇଁ ଭୋଗ ମଣ୍ଡପ । ତେବେ ଏହି ସବୁକାର୍ଯ୍ୟକୁ ସମୟ ସୀମା ମଧ୍ୟରେ ଶେଷ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଲକ୍ଷ୍ୟ ରଖାଯାଇଛି ।
ଇଟିଭି ଭାରତ, କଟକ